ଓଡିଶା

odisha

By

Published : Apr 6, 2023, 4:14 PM IST

ETV Bharat / state

ଲୋକସେବକଙ୍କୁ ଏ କି ପ୍ରକାର ସମ୍ମାନ ? ବାରମ୍ୱାର ପ୍ରତିମୂର୍ତ୍ତି ନିର୍ମାଣରେ ତୃଟି କରୁଛି ଜିଲ୍ଲା ପ୍ରଶାସନ

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଅପମାନ। ସରଳ ଜୀବନ ବିତାଉଥିବା ଏହି ଗାନ୍ଧୀବାଦୀ ନେତାଙ୍କୁ ଅସମ୍ନାନ କରୁଛି ଅନୁଗୋଳ ପୌର ପ୍ରଶାସନ । ବରପୁତ୍ରଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ବାରମ୍ବାର ଭୁଲକୁ ନେଇ ମୁଣ୍ଡ ଟେକିଛି ବିବାଦ । ଅଧିକ ପଢନ୍ତୁ

nabakrushna choudhury statue reconstructed
nabakrushna choudhury statue reconstructed

ବାରମ୍ୱାର ପ୍ରତିମୂର୍ତ୍ତି ନିର୍ମାଣରେ ତୃଟି କରୁଛି ଜିଲ୍ଲା ପ୍ରଶାସନ

ଅନୁଗୋଳ: ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ଜାଣିପାରୁନି ଅନୁଗୋଳ ଜିଲ୍ଲା ପ୍ରଶାସନ । ଯେଉଁ ଅନୁଗୋଳ ମାଟିରେ ନିଜର ଶେଷ ନିଶ୍ୱାସ ତ୍ୟାଗକଲେ ସେଇ ମାଟିର ପ୍ରଶାସନ ତାଙ୍କୁ ବାରମ୍ବାର ଅପମାନ କରୁଛି । ଦିଅଁ ଗଢୁଗଢୁ ମାଙ୍କଡ଼ କରିଦେବା ନ୍ୟାୟରେ ନବ ବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବେଳେ ଭୁଲ କରୁଛି ପୌର ପ୍ରଶାସନ । ପ୍ରଥମେ ନବବାବୁଙ୍କୁ ବିଲାତି ବାବୁ ସଜାଇ ଦେଇଥିବା ପ୍ରଶାସନ ଆଣ୍ଠୁ ଉପରକୁ ଧୋତି ବଦଳରେ ପିନ୍ଧାଇ ଦେଇଛନ୍ତି ପାଦ ପର୍ଯ୍ୟନ୍ତ ଧୋତି । ଯାହାକୁ ନେଇ ବିରୋଧ ଥମିବାର ନାଁ ନେଉନି । ଏନେଇ ଜିଲ୍ଲାପାଳ କହିଛନ୍ତି ସଂସ୍କୃତି ବିଭାଗ ସହ ସମନ୍ୱୟ ରଖି ପୁନଃ ନବବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ । ଅନ୍ୟପଟେ ବିଧାନସଭା ସମ୍ମୁଖରେ ନିର୍ମିତ ପ୍ରତିମୂର୍ତ୍ତି ଢାଞ୍ଚାରେ ନୂଆ ପ୍ରତିମୂର୍ତ୍ତି ନିର୍ମାଣ ହେବ ବୋଲି କହିଛନ୍ତି ରାଜ୍ୟ ସରକାର ।

ଗତ ଏପ୍ରିଲ ୧ତାରିଖ ଉତ୍କଳ ଦିବସ ଅବସରରେ ଅନୁଗୋଳ ଗୋପବନ୍ଧୁ ପାର୍କରେ ଅନୁଗୋଳ ଜିଲ୍ଲାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରା ଯାଇଥିଲା । ସେମାନଙ୍କ ମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଅନ୍ୟତମ । ହେଲେ ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ଏଭଳି କଦାକାର କରାଯାଇଥିଲା ଯେ, ସବୁ ମହଲରୁ ବିରୋଧର ସ୍ୱର ଉଠିଥିଲା। ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ତାଙ୍କ ଜୀବନ କାଳ ମଧ୍ୟରେ କେବେ ହେଲେ ପ୍ୟାଣ୍ଟ ସାର୍ଟ ପିନ୍ଧି ନାହାନ୍ତି । ସବୁବେଳେ ଖଦଡ଼, ଧୋତି ଓ ଫତେଇ ପରିଧାନ କରି ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ । କିନ୍ତୁ ପ୍ରଶାସନ ସ୍ବର୍ଗତ ଚୌଧୁରୀଙ୍କୁ ନବାବ ଢାଞ୍ଚାରେ ଫୁଲ୍‌ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ଦେଇଥିଲେ । ଅନୁଗୋଳର ବହୁ ଗାନ୍ଧିବାଦୀ, ବୁଦ୍ଧିଜୀବୀ ଏବଂ ସ୍ବର୍ଗତ ଚୌଧୁରୀଙ୍କ ସହ ମିଶି କାମ କରିଥିବା ବ୍ୟକ୍ତିମାନଙ୍କୁ ଏହା ଖୁବ ବ୍ୟଥିତ କରିଥିଲା ।

ଏହାକୁ ନେଇ ସାରା ରାଜ୍ୟରେ ବିବାଦ ମୁଣ୍ଡ ଟେକିଲା। ଫଳରେ ପ୍ରଶାସନ ତରଫରୁ ଏହି ପ୍ରତିମୂର୍ତ୍ତିକୁ ହଟାଇ ଦିଆଗଲା । ସେହି ସ୍ଥାନରେ ତରବରିଆ ଭାବେ ଆଉ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା। ସେଥିରେ ସ୍ବର୍ଗତ ଚୌଧୁରୀଙ୍କୁ ଧୋତି ପିନ୍ଧା ଯାଇଥିଲେ ମଧ୍ୟ ବେଙ୍ଗଲି ଢାଞ୍ଚାରେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧା ଯାଇଥିଲା । ପ୍ରକୃତରେ ସ୍ବର୍ଗତ ଚୌଧୁରୀ ଆଣ୍ଠୁ ପର୍ଯ୍ୟନ୍ତ ଖଦଡ଼ ଏବଂ ଏକ ଫତେଇ ପରିଧାନ କରୁଥିଲେ । ଏହାକୁ ମଧ୍ୟ ବିରୋଧ କରାଗଲା । ବାରମ୍ବାର ଏଭଳି ଜଣେ ବ୍ୟକ୍ତିଙ୍କୁ ଅଟହାସ୍ୟ କରା ଯାଉଛି ବୋଲି ଅଭିଯୋଗ କରାଗଲା। ଫଳରେ ଗୋଟିଏ ଦିନ ପରେ ଦ୍ଵିତୀୟ ଥର ସ୍ଥାପନ କରା ଯାଇଥିବା ପ୍ରତିମୂର୍ତ୍ତିକୁ ମଧ୍ୟ ହଟାଇ ଦିଆ ଗଲା । ଏବେ ସେହି ସ୍ଥାନଟି ଖାଲି ପଡ଼ିଛି ।

ଓଡ଼ିଶାର ଗର୍ବ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କୁ ବାରମ୍ବାର ଅସମ୍ମାନ କରାଯାଉଛି। ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ପୂର୍ବରୁ ପ୍ରଶାସନ ତରଫରୁ ଏକ କମିଟି ଗଠନ କରିବା କଥା। ଏପରିକି ବାଜି ରାଉତ ଛାତ୍ରାବାସରେ ରହୁଥିବା ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କ୍ରିଷ୍ଣା ମହାନ୍ତିଙ୍କ ସହ ଯୋଗାଯୋଗ କରି ସଠିକ ତଥ୍ୟ ନେବା ଆବଶ୍ୟକ। କିନ୍ତୁ ପ୍ରଶାସନ କିଛି ନକରି ମନଇଚ୍ଛା ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ତିଆରି କରି ସ୍ଥାପନ କରିଥିଲା। ଫଳରେ ଏଭଳି ଭୁଲ ହେଲା। ବାରମ୍ବାର ଭୁଲ କରି ପ୍ରତିମୂର୍ତ୍ତି ବଦଳାଇବା ଯୋଗୁ ସ୍ବର୍ଗତ ଚୌଧୁରୀଙ୍କ ସମ୍ମାନରେ ଆଞ୍ଚ ଆସୁଛି । ଏମିତି ହେବାଦ୍ୱାର ଆଗାମୀ ପିଢୀ ସଠିକ କଥା ଶିଖି ପାରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଏ ସମସ୍ତ କଥାକୁ ଭିତ୍ତି କରି ଅନୁଗୋଳର କିଛି ସ୍ୱାବଭିମାନ ଯୁବକ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ସ୍ବର୍ଗତ ଚୌଧୁରୀଙ୍କ ସହ ମିଶି କାମ କରିଥିବା ଗାନ୍ଧିବାଦୀ ମାନେ ଯିଏ ଏମିତି ଭୁଲ କରିଛି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କିନ୍ତୁ ପ୍ରଶାସନ ତରଫରୁ ଏହାକୁ ଭୁଲ ହୋଇଥିବା ସ୍ୱୀକାର କରା ଯାଇଛି। ଜିଲ୍ଲାପାଳ ନିଜେ ଭୁଲ ସ୍ୱୀକାର କରିଛନ୍ତି। ଆଗକୁ ଏଭଳି ଭୁଲ ଆଉ ହେବ ନାହିଁ। ସଠିକ ଏବଂ ନିର୍ଭୁଲ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଜିଲ୍ଲାପାଳ କହିଛନ୍ତି। ସ୍ବର୍ଗତ ନବକୃଷ୍ଣ ଚୌଧୁରୀ ଅତ୍ୟନ୍ତ ସରଳ ଜୀବନ ଯାପନ କରୁଥିଲେ। ପିଲାଟି ଦିନରୁ ତାଙ୍କର ପରିଧାନ ଖଦଡ଼ ବସ୍ତ୍ର ଥିଲା । କିନ୍ତୁ ଅନୁଗୋଳ ଜିଲ୍ଲା ପ୍ରଶାସନର ତାଙ୍କର ସରଲତାକୁ ଦୃଷ୍ଟି ଆଢୁଆଳରେ ରଖି ଯେଉଁଭଳି ବିକୃତ କଲେ ତାହା ନିଶ୍ଚିତ ଭାବେ ଅକ୍ଷମଣୀୟ ଅପରାଧ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details