ଓଡିଶା

odisha

ETV Bharat / state

ଭଙ୍ଗା ଦଦରା ମାଟି ଘରେ କଟୁଛି ମାଆ ଓ ଝିଅଙ୍କ ଜୀବନ - କମଳା ମେହେର

ନୂଆ ପକ୍କା ଘର ଯୋଗାଇଦେବାକୁ ଭୁଲିଯାଇଛି ପ୍ରଶାସନ । ଅନେକ ଗୁହାରୀ ପରେ ବି ମିଳୁନି ସୁଫଳ । ମିଳୁଛି କେବଳ ଆଶ୍ବାସନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 29, 2019, 12:43 AM IST

ଅନୁଗୋଳ: ମାଆର ବୟସ ୭୦, କାନକୁ ଶୁଭୁନି । ଝିଅର ବୟସ ୫୦, ଆଖିକୁ ଦିଶୁନି । ନିଜର ବୋଲି ଆଉ କେହି ନାହାଁନ୍ତି । ଭଙ୍ଗା ଦଦରା ମାଟି ଘରେ ରହୁଛନ୍ତି ଉଭୟ ମାଆ ଓ ଝିଅ ।

ମୁଣ୍ଡରେ ଚାଳ ବାଜୁଛି । ଛପର ଉପରେ ପଲିଥିନ ପଡିଛି । କାନ୍ଥ ଫାଟି ଆଁ କରିଛି । କେଉଁଠି ମାଟି ଅତଡା ଖସି ଯାଇଛି ତ ଆଉ କେଉଁଠି ଚାଳ ଛପର ଉଡି ଯାଇଛି । ତଳେ ମାଟି ଓଦା ହୋଇ ସନ୍ତସନ୍ତିଆ । ଏହେଉଛି ଅନୁଗୋଳର କଲେଇପଦା ଗ୍ରାମର କମଳା ମେହେରଙ୍କ ଘରର ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ମା କମଳା ମେହେର ଓ ଝିଅ ଅମୂଲ୍ୟ ମେହେର ଏହି ଘରେ ରୁହନ୍ତି । ତେବେ ପକ୍କା ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଓ ବ୍ଲକକୁ ଦୌଡିଲା ପରେ ବି ଫଳ ଶୂନ । ବୟସାଧିକ କାରଣରୁ ଆଉ ଅନ୍ୟର କାମଧନ୍ଦା କରିପାରୁନାହାଁନ୍ତି କମଳା । ସରକାରଙ୍କ 10 କିଲୋ ଚାଉଳ ଓ 500 ଟଙ୍କା ଭତ୍ତା ଦୁହିଁଙ୍କ ରାହା ପାଲଟିଛି ।

ମାଆ ଓ ଝିଅଙ୍କ ଏପରି ଅବସ୍ଥା ଦେଖି ଗ୍ରାମବାସୀ ଅନେକ ଥର ସରପଞ୍ଚଙ୍କୁ ଗୁହାରି କରିଛନ୍ତି । ହେଲେ ତାଙ୍କୁ ପକ୍କା ଘର ଖଣ୍ଡେ ମିଳିନି । ତେବେ ଚଳିତ ବର୍ଷ ସେମାନଙ୍କ ଆବେଦନକୁ ବିଚାର କରାଯାଉଛି । ଆଉ ଘର ନିଶ୍ଚିତ ମିଳିବ ବୋଲି ସରପଞ୍ଚ ଆଶ୍ବାସନା ଦେଇଛନ୍ତି ।

ସରକାର ନିରାଶ୍ରୟଙ୍କୁ ଆଶ୍ରୟ ଯୋଗାଇ ଦେବାକୁ ଆବାସ ଯୋଜନା କରିଛନ୍ତି । ତେବେ ଏହି ଦୁଇ ପ୍ରାଣୀଙ୍କୁ ତାହା କେବେ ମିଳୁଛି ତାହା ସମୟ କହିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details