ଅନୁଗୋଳ: ଗାଁ ମେଳାରେ ଭୋଗ ଖାଇ ୧୦୦ରୁ ଅଧିକ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ଅନ୍ତୁଳିଆ ପଞ୍ଚାୟତର ରୋଡ଼ସିଙ୍ଗା ଗାଁରେ ।
ମେଳା ଭୋଗ ଖାଇ ୧୦୦ରୁ ଉର୍ଦ୍ଧ୍ବ ଅସୁସ୍ଥ ବୁଧବାର ରାତିରେ ଗାଁରେ ଏକ ମେଳା ହେଉଥିଲା । ଯେଉଁ ମେଳାରେ ଗାଁର ସବୁ ଲୋକ ଭୋଗ ଖାଇବା ସହ ଭୋଜି ଖାଇଥିଲେ। ରାତି ପ୍ରାୟ 12ଟା ବେଳକୁ କିଛି ଲୋକଙ୍କର ବାନ୍ତି ହେବା ସହ ଝାଡା ମଧ୍ୟ ହୋଇଥିଲା ।
ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ବନ୍ତଳା ଗୋଷ୍ଠୀ କେନ୍ଦ୍ରର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ପରେ ଆକ୍ରାନ୍ତ ସଂଖ୍ୟା ବଢିବାରୁ ଅନୁଗୋଳ ସ୍ୱାସ୍ଥ୍ଯକେନ୍ଦ୍ରର ମଧ୍ୟ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛନ୍ତି । କିଛି ଅସୁସ୍ଥଙ୍କୁ ପାଖ ସ୍କୁଲ ଘରେ ଚିକିତ୍ସା କରାଯାଇଛି। ଅନ୍ୟ କେତେକଙ୍କୁ ସେମାନଙ୍କ ଘରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ