ଅନୁଗୋଳ:ଏବେକା ସମୟରେ ମୋବାଇଲ ଲୋକଙ୍କ ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ନୁହେଁ, ବରଂ ଆବଶ୍ୟକତା ପାଲଟି ଯାଇଛି । ପାଖରେ ମୋବାଇଲ ନ ଥିଲେ ଜଣେ ଏକ ବିଚ୍ଛିନ୍ନାଞ୍ଚଳରେ ରହିବା ପରି ମନେ ହେଉଛି । କାରଣ ପ୍ରତିକ୍ଷେତ୍ରରେ ଏବେ ମୋବାଇଲ ନିହାତି ଆବଶ୍ୟକ । ବର୍ତ୍ତମାନ ସମୟରେ ମୋବାଇଲ ବିନା କୌଣସି କାମ କରିବା କଷ୍ଟକର ହୋଇ ପଡିଛି । ବିଭିନ୍ନ ସରକାରୀ ଯୋଜନା ହେଉ ଅବା ପିଲାଙ୍କ ପାଠ ପଢା ସବୁ କାମରେ ମୋବାଇଲର ଆବଶ୍ୟକତା ଜରୁରୀ ହୋଇ ପଡିଛି । ଏହାଛଡା ଆଜିର ଯୁବପିଢ଼ି ମୋବାଇଲ ବିନା ନିମିଷେ ରହି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ଯେଉଁଠି ମୋବାଇଲ ସେବା ନାହିଁ ସେଠାରେ କିଭଳି ଅବସ୍ଥା ତାହା ସ୍ପଷ୍ଟ ଅନୁମେୟ । ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ମଝିପଡା ଗାଁରେ ମୋବାଇଲ ସେବା ଟିକେ ପାଇବା ପାଇଁ କିଛି ଯୁବକଙ୍କ ଅଭିନବ ପ୍ରୟାସ ଏହାର ଜ୍ୱଳନ୍ତ ଉଦାହରଣ ।
ତେବେ ବର୍ତ୍ତମାନ ଦେଶରେ ମୋବାଇଲର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ଜି ସେବା ଆରମ୍ଭ ହୋଇ ଯାଇଛି । କିନ୍ତୁ ଏବେବି ଏମିତି ଅନେକ ଅଞ୍ଚଳ ରହିଛି ଯେଉଁଠି ଆଦୌ ମୋବାଇଲ ସେବା ନାହିଁ । ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ୩୦ରୁ ଅଧିକ ଗାଁର ଲୋକେ ମୋବାଇଲ ସେବା କଣ ଜାଣନ୍ତି ନାହିଁ । ତେଣୁ ସେମାନେ ଅନେକ ସରକାରୀ ଯୋଜନା ସମ୍ପର୍କରେ ଜାଣି ପାରୁ ନାହାନ୍ତି । ପିଲାମାନେ ପାଠ ପଢିବାରେ ଅସୁବିଧା ହେଉଛି ।
ତେବେ ଏହିସବୁ ଗାଁ ଚାରିପଟେ ବିଭିନ୍ନ କମ୍ପାନୀର ମୋବାଇଲ ଟାୱାର ଥିବାରୁ କାଁଭାଁ କେଉଁଠି ଟିକେ ସିଗ୍ନାଲ ଆସୁଛି । କେଉଁଠି ପାହାଡ଼ ଉପରେ, ନଦୀ ପଠାରେ ତ ଆଉ କେଉଁଠି ଗଛ ଉପରେ ସାମାନ୍ୟ ମୋବାଇଲ ନେଟୱାର୍କ ରହୁଛି । ଗାଁ ଲୋକେ ସେଭଳି ସ୍ଥାନଗୁଡିକୁ ଚିହ୍ନଟ କରି ସେଠାରେ ମୋବାଇଲ ପଏଣ୍ଟ କରିଛନ୍ତି । ଏମିତି ଏକ ମୋବାଇଲ ପଏଣ୍ଟ ଦେଖିବାକୁ ମିଳିଛି ସାତକୋଶିଆ ଅଭୟାରଣ୍ୟ ଟିକରପଡା ରେଞ୍ଜର ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ଥିବା ମଝିପଡା ଗାଁରେ । ଗାଁ ମୁଣ୍ଡରେ ଥିବା ନିର୍ଦିଷ୍ଟ ଗୋଟିଏ ସ୍ଥାନରେ ଏକ ଘରୋଇ କମ୍ପାନୀର ମୋବାଇଲ ସିଗ୍ନାଲ ରହୁଛି । ତେଣୁ ସେହି ସ୍ଥାନରେ ଗାଁର ଯୁବକମାନେ ଅଭିନବ ଉପାୟରେ ଏକ ମୋବାଇଲ ପଏଣ୍ଟ କରିଛନ୍ତି । ସେଠାରେ ସକାଳୁ ସଞ୍ଜ ଯାଏଁ ମୋବାଇଲ ଧରି ଯୁବକ ମାନେ ସମୟ ଅତିବାହିତ କରୁଛନ୍ତି ।