ଅନୁଗୋଳ:ସ୍ବାଧୀନତାର ଦୀର୍ଘ ବର୍ଷ ପରେ ପ୍ରଥମଥର ପାଇଁ ଏକ ଅପହଞ୍ଚ ଇଲାକାରେ ପଡିଲା ବିଧାୟକଙ୍କ ପାଦ । ଗ୍ରାମରେ ଜନପ୍ରତିନଧିଙ୍କୁ ପାଇଁ ଖୁସିରେ ଫାଟିପଡିଲେ ଗାଁଲୋକ ଏବଂ ନୃତ୍ୟ, ସଙ୍ଗୀତ ଓ କୀର୍ତ୍ତନରେ ପାଛୋଟି ନେଲେ ବିଧାୟକଙ୍କୁ । ଏ ଦୃଶ୍ୟ ହେଉଛି ଅନୁଗୋଳ କିଶୋରନଗର ବ୍ଲକ ଧରଡପାଳ ପଞ୍ଚାୟତରେ ଅବସ୍ଥିତ ତେନ୍ତୁଳିଖୋଲ ଗାଁର ।
ପ୍ରାୟ 5 କିମି ଉଚ୍ଚ ବିଶିଷ୍ଟ ପାହଡ ଉପରେ ରହିଛି ତେନ୍ତୁଳିଖୋଲ ଗାଁ । ଗାଁରେ ବସବାସ କରନ୍ତି 20ଟି ପରିବାର । ପଞ୍ଚାୟତ ମୁଖ୍ୟାଳୟ ଠାରୁ କିଛି ବାଟରେ ହିଁ ପଡେ ଏହି ଗାଁ । ପ୍ରାୟ 5 କିମି ସଂକୀର୍ଣ୍ଣ ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ହୁଏ ଗାଁକୁ । ଏଠାରେ ସବୁଦିନିଆ ରାସ୍ତାଟିଏ ନାହିଁ । ମୋଟର ସାଇକେଲ ତ ଦୂରର କଥା ସାଇକେଲରେ ମଧ୍ୟ ଯାଇ ହୁଏନି ତେନ୍ତୁଳିଖୋଲ ଗାଁକୁ । ସେଥିପାଇଁ ଏହି ଦୁର୍ଗମ ଅଞ୍ଚଳକୁ କେହି କେବେ ଯିବାକୁ ଇଚ୍ଛା କରିନଥାନ୍ତି । ଗାଁ ଲୋକ କେହି ବାହରକୁ ଗଲେ କିମ୍ବା ପିଲାମାନେ ପାଠ ପଢିବାକୁ ସ୍କୁଲ କଲେଜ ଗଲେ ପାହାଡ ଉପରୁ 5 କିମି ବାଟ ଚାଲି ଚାଲି ଯିବାଆସିବା କରନ୍ତି । ତେଣୁ ଗାଁଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ତଥାପି ଏଠାକାର ଲୋକେ ନିଜ ଭାଗ୍ୟକୁ ଆଦରି ଭିଟାମାଟିରେ ପଡି ରହିଛନ୍ତି । ମାତ୍ର ଦୀର୍ଘ ଦିନ ପରେ ରବିବାର ପ୍ରଥମ ଥର ପାଇଁ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ସାଏ ଗାଁରେ ପାଦ ଦେଇଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ତରଙ୍ଗ ଖେଳିଯାଇଛି ଏବଂ ସେମାନଙ୍କ ମନରେ ଏକ ଆଶାର କିରଣ ଉଙ୍କି ମାରିଛି ।