ଅନୁଗୋଳ: ଲକ୍ଡାଉନ୍ ପାଇଁ ଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କ ପରିବାର ଏବେ ଚିନ୍ତାରେ । ଅଧିକ ଦି ପଇସା ରୋଜଗାର କରି ପରିବାର ଚଳାଇବା ଆଶାରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିଲେ । ହେଲେ କୋରୋନା ଯୋଗୁ ସବୁ ବନ୍ଦ ହୋଇ ଯାଇଥିବାରୁ ସେମାନକୁ ନା କାମ ମିଳୁଛି ନା ଖାଇବାକୁ ମିଳୁଛି । ହତାଶରେ ଘରକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି ଶ୍ରମିକ ମାନେ । ପରିବାର ଲୋକେ ଚାତକ ପରି ଚାହିଁ ବସିଛନ୍ତି ସେମାନଙ୍କ ଫେରିବା ବାଟକୁ । ହେଲେ କେମିତି ଓ କେବେ ଫେରିବେ ସେନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଉ ନଥିବାରୁ ଚିନ୍ତା ବଢି ଯାଇଛନ୍ତି ।
ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି ସରକାର । ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ନିଜ ରାଜ୍ୟକୁ ଫେରିବାକୁ ଥିବା ଶ୍ରମିକ ମାନେ ପଞ୍ଜିକୃତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର 225ଟି ପଞ୍ଚାୟତରେ 13695 ଜଣ ପ୍ରବାସୀ ଶ୍ରମିକ ଫେରିବା ପାଇଁ ପଞ୍ଜିକୃତ କରିଛନ୍ତି । ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି ଆଶା କରାଯାଉଛି । ଜିଲ୍ଲାର ଅଧିକାଂଶ ଶ୍ରମିକ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ବେଙ୍ଗାଲୁରୁ, ପଶ୍ଚିମବଙ୍ଗ ଆଦି ସଂକ୍ରମିତ ରାଜ୍ୟ ଗୁଡିକରେ କାମ କରୁଛନ୍ତି ।
ସେହି ସବୁ ରାଜ୍ୟ ଗୁଡିକରେ ଏହି ଶ୍ରମିକ ମାନେ କାମ କରିଥିବା ସଂସ୍ଥା ଗୁଡିକ ବନ୍ଦ ହୋଇ ଯାଇଛି । ଫଳରେ ଏମାନଙ୍କୁ ଖାଇବା, ରହିବା ଓ କୌଣସି ସୁବିଧା ଆଉ ମିଳୁନି । ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ନିଜ ନିଜ ଘରକୁ ଫୋନ କରି ତୁରନ୍ତ ସେମାନକୁ ସେଠାରୁ ଉଦ୍ଧାର କରିବାକୁ କହୁଛନ୍ତି । ପରିବାର ସଦସ୍ୟ ମାନେ ସ୍ଥାନୀୟ ସରପଞ୍ଚ ମାନଙ୍କ ଜରିଆରେ ପ୍ରଶାସନକୁ ଗୁହାରି କରୁଛନ୍ତି। କିନ୍ତୁ ପ୍ରଶାସନ ଠାରୁ କିଛି ଆଶ୍ବାସନା ନପାଇ ଆହୁରି ଭାଙ୍ଗି ପଡିଛନ୍ତି ।