ଅନୁଗୋଳ: ଜିଲ୍ଲା ତାଳଚେରରେ ଥିବା MCL କୋଇଲା ଖଣିରେ କର୍ତ୍ତୃପକ୍ଷ ଦାଦାଗିରି କରୁଥିବା ଅଭିଯୋଗ ହୋଇଛି । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ MCL କୋଇଲା ଖଣି କର୍ତ୍ତୃପକ୍ଷ ବୁଲ୍ଡୋଜର ଲଗାଇ ଲୋକଙ୍କ ଘର ଭାଙ୍ଗିଛନ୍ତି । ଘର ଭାଙ୍ଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏହାକୁ ନେଇ ତାଳଚେରରେ ଥିବା ସମସ୍ତ ଖଣି ଖାଦାନକୁ ବନ୍ଦ କରିଛନ୍ତି ଗ୍ରାମବାସୀ ।
ରାତିଅଧରେ ଘର ଉପରେ ବୁଲଡୋଜର ବୁଲିବା ପରେ ମାଟିରେ ମିଶି ଯାଇଛି ଲୋକଙ୍କ ସମସ୍ତ ଜରୁରୀ ଆସବାଵପତ୍ର । ତାଳଚେରରେ ଥିବା ଜଗନ୍ନାଥ କୋଇଲା ଖଣି ପାଖରେ ଥିବା ହିଲୋଇ ଗ୍ରାମରେ ୧୨୦ଟି ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି । କିନ୍ତୁ ତାଙ୍କୁ କ୍ଷତିପୂରଣ ଦିଆନଯାଇ MCL ପକ୍ଷରୁ ରାତିଅଧରେ ଲୋକଙ୍କୁ ଘରୁ ବାହାର କରି ଜୋର୍ ଜବରଦସ୍ତ ବୁଲ୍ଡୋଜର ଚଢ଼ାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ଖଣି ଖାଦାନକୁ ବନ୍ଦ କରି ଧାରଣାରେ ବସିଥିଲେ ଗ୍ରାମବାସୀ ।