ଅନୁଗୋଳ: ଏମସିଏଲର 11ତମ ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋଇଲା ଖଣି ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଭୂତଳ କୋଇଲା ଖଣି ଗୁଡିକରୁ କୋଇଲା ଶେଷ ହେବା ପରେ ସଠିକ ଭାବରେ ବାଲି ଫିଲିଂ କରାଯାଉନଥିବାରୁ ଅନେକ ସମୟରେ ତାଳଚେର ଅଞ୍ଚଳରେ ଭୁଇଁ ଦବୁଛି । ତେଣୁ ତୁରନ୍ତ ବାଲି ଫିଲିଂ କରାଯିବା ଉପରେ ଆରଡିସି ଗୁରୁତ୍ବ ଦେଇଥିଲେ । ଏହାଛଡା କୋଇଲା ଖଣି ଯୋଗୁଁ ଭିଟାମାଟି ହରାଇଥିବା କ୍ଷତିଗ୍ରସ୍ତ ଲୋକଙ୍କୁ କିଭଳି ସଠିକ ସମୟରେ କ୍ଷତିପୂରଣ ଏବଂ ନିଯୁକ୍ତି ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ନୂତନ ଖଣି ପାଇଁ ଜମି ଅଧିଗ୍ରହଣ ହେବାର 3 ମାସ ମଧ୍ୟରେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ କ୍ଷତିପୂରଣ ଅର୍ଥ ଏବଂ ନିଯୁକ୍ତି ଦେବାକୁ ମଧ୍ୟ ଏମସିଏଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ସରକାରଙ୍କ ଜମି ଅଧିଗ୍ରହଣ ଅଧିନିୟମ 2006କୁ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ବୈଠକରେ ତାଳଚେର ବିଧାୟକ ଦାବି ଉପସ୍ଥାପନ କରିଥିଲେ । ତେଣୁ ଏସମସ୍ତ ବିଷୟ ବସ୍ତୁ ଉପରେ ଗୁରୁବାର ଆୟୋଜିତ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।