ଅନୁଗୋଳ: ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଆମ୍ବ ଚାଷ ସମ୍ପୂର୍ଣ ଉଜୁଡି ଯାଇଛି । ଯେଉଁ ସମୟରେ ଗଛରେ ଡାଳ ନଇଁ ପଡିବା କଥା ସେହି ସମୟରେ ଖୋଜିଲେ ମଧ୍ୟ ଆମ୍ବଟିଏ ମିଳୁନି । ଫଳରେ ଆମ୍ବ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ସାଧାରଣ ଲୋକେ ମଧ୍ୟ ଖାଇବାକୁ ଆମ୍ବଟିଏ ପାଉନାହାଁନ୍ତି । ଜଳବାୟୁରେ ଘୋର ପରିବର୍ତ୍ତନ ଯୋଗୁଁ ଏଭଳି ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।
ଅନୁଗୋଳ ଜିଲ୍ଲା ଆମ୍ବ ଚାଷ ପାଇଁ ବେସ ଜଣାଶୁଣା । ଏଠାକାର ଜଳବାୟୁରେ ଭଳିକି ଭଳି କିସମର ଆମ୍ବ ହୁଏ । ତେଣୁ ପ୍ରତିବର୍ଷ ଚାଷୀମାନେ ଆଗ୍ରହ ପ୍ରକାଶ କରି ଆମ୍ବ ଚାଷ କରିଥାନ୍ତି । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଳାରେ ପ୍ରାୟ ୩୨ଶହ ଆମ୍ବ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ରୁ ଅଧିକ ଚାଷୀ ୫ ରୁ ୨୫ ଏକର ଜମିରେ ଆମ୍ବ ଚାଷ କରନ୍ତି । ତେଣୁ ଜିଲ୍ଲାରେ ପ୍ରାୟ ୨୦ହଜାର ହେକ୍ଟର ଜମିରେ ଆମ୍ବ ଚାଷ ହେଉଛି । ସେଥି ମଧ୍ୟରୁ ୮ ହଜାର ହେକ୍ଟର ଜମିରେ ଲଗାଯାଇଥିବା ଗଛରୁ ଫଳ ଉତ୍ପାଦନ ହେଉଛି । ତେଣୁ ଏହି ରେକର୍ଡ ଅନୁସାରେ ପ୍ରତିବର୍ଷ ଜିଲ୍ଲାରେ ପ୍ରାୟ ୧୨ଶହ କ୍ୱିଣ୍ଟାଲ ଆମ୍ବ ଉତ୍ପାଦନ ହେଉଛି ।
ବିଭାଗୀୟ ରେକର୍ଡ ବାହାରେ ମଧ୍ୟ ଅନେକ କ୍ଷୁଦ୍ର ଚାଷୀ କମ ଜାଗାରେ ଆମ୍ବ ଚାଷ କରୁଛନ୍ତି । ତେଣୁ ଆମ୍ବ, ଜିଲ୍ଲାବାସୀଙ୍କ ଚାହିଦା ପୁରଣ କରିବା ସହ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହୋଇଥାଏ । ଏଠାରେ ଦସେରି, ମଲ୍ଲିକା, ଆଖୁରସ, ବାଇଗଣ ପଲ୍ଲୀ, ଗୋଲାପ ଖାସ, ବମ୍ବେ ଗ୍ରୀନ ସମେତ ବହୁ କିସମର କଲମୀ ଆମ୍ବ ଚାଷ ହୋଇଥାଏ । ଚାଷୀମାନେ ଭଲ ଦୁଇ ପଇସା ପାଆନ୍ତି । କେବଳ ଆମ୍ବ କାହିଁକି ଆମ୍ବସଢା, ଆମ୍ବୁଲ, ଆଚାର ଆଦି କରି ମଧ୍ୟ ଗୁଜୁରାଣ ମେଣ୍ଟାଇଥାନ୍ତି ଚାଷୀ । ହେଲେ ଚଳିତ ବର୍ଷ ଗଛରେ ଆମ୍ବଟିଏ ଦେଖିବା ସ୍ୱପ୍ନ ହୋଇ ପଡିଛି । କାଁ ଭାଁ କିଛି ଗଛରେ ଖୁବ କମ ଆମ୍ବ ଫଳିଛି । ଫଳରେ ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି ।