ଅନୁଗୋଳ:ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ଯନ୍ତାଳ ଯାତ୍ରା ଅନୁଷ୍ଠିତ । ମା’ଙ୍କ ବାର୍ଷିକୀ ଯାତ୍ରାର ଠିକ ନଅ ଦିନ ପୂର୍ବରୁ ଏହି ଯନ୍ତାଳ ପୂଜା ଅନୁଷ୍ଠିତ ହୋଇଥାଏ । ମାଆ ହିଙ୍ଗୁଳାଙ୍କ ପାର୍ଶ୍ଵ ଦେବୀ ଭାବେ ପ୍ରସିଦ୍ଧ କୁଟେଇ ଶୁଣୀଙ୍କ ପୀଠରେ ଏହି ପୂଜା କରାଯାଇଥିଲା । ଏହି ପୂଜା ମାଧ୍ୟମରେ ମାଆଙ୍କର ଉଭାସ୍ଥଳୀ ନିର୍ଘଣ୍ଟ ହୋଇଥାଏ । ଯନ୍ତାଳ ପୂଜାରେ ପତିଆରଙ୍କୁ ଦେବୀ ରୂପରେ ଷୋଡଶ ଉପଚାରରରେ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ଯେ, ତାଙ୍କ ଶରୀରରେ ଦେବୀ ଆର୍ବିଭାବ ହୋଇ ଅଗ୍ନିରୂପା ମାଆ ହିଙ୍ଗୁଳାଙ୍କ ଆବିର୍ଭାବର ଦିଗ ନିର୍ଦ୍ଦିଷ୍ଟ କରିଥାନ୍ତି ।
ତେବେ ଏହି ନୀତି ପୂର୍ବକ ଦିଅଁ ଘରୁ ଆଲମ ଅଣାଯାଇ ପତିଆର ପୂଜା କରାଯାଇଥିଲା । ବିଧି ଅନୁଯାୟୀ ଯଥାରୀତି ପତିଆରଙ୍କୁ ଦେହୁରି ମାନେ ଘିଅ, ମୋହୁ, ଗୁଡ, ଝୁଣା ଓ ଧୂପ ଆଦି ଦେଇ ମାଜଣା କରାଇଥିଲେ । ମାଆ କାଳିଶି ରୂପେ ବିଜେ ହୋଇ ଉଭା ସ୍ଥାନ ଚିହ୍ନଟ କରିବାର ପରମ୍ପରା ରହିଛି । ଯାହା ପାଇଁ ଅନେକ ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା କୁଟେଇଶୁଣି ମନ୍ଦିର ନିକଟରେ । ମଧ୍ୟରାତ୍ରରେ ମାଆ ସ୍ଵପ୍ନାଦେଶରେ ନିଜର ଉଭା ସ୍ଥଳୀ ଚିହ୍ନଟ ସମ୍ପର୍କରେ ସୂଚନା ଦେବା ପରେ ସ୍ଥାନ ସ୍ଥିର ହୋଇଛି । ଆସନ୍ତା 4 ତାରିଖରେ ହେବ ମାଆଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଗୋପାଳ ଗଡ଼ରେ ଚାଲିଛି ପ୍ରସ୍ତୁତି ପର୍ବ ।