ଅନୁଗୋଳ: ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ସ୍କୁଲ ଘର ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ନିର୍ମାଣ ପୂର୍ବରୁ ଯେଉଁ ଭଳି ଭାବେ କରାଯିବା ପାଇଁ ଅଟକଳ କରାଯାଇଥିଲା ତାହା ଆଦୌ କରା ଯାଇନାହିଁ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି । ସଠିକ ଭାବେ ସ୍କୁଲ ଘର ନିର୍ମାଣ କରାନଗଲେ ସେମାନଙ୍କ ପିଲାମାନଙ୍କୁ ନଛାଡିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅନୁଗୋଳ ଜିଲ୍ଲାର ସାନ୍ତରାପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ରାସ୍ତା ପାର୍ଶ୍ଵରେ ଥିବା ପ୍ରାୟ ୧୦ଟି ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅନ୍ୟ ସ୍ଥାନରେ ନୂତନ ସ୍କୁଲ ଘର ନିର୍ମାଣ କରିଛନ୍ତି । ସେଗୁଡିକ ମଧ୍ୟରୁ ସାନ୍ତାରାପୁର ଗାଁରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲ ଅନ୍ୟତମ । ପୂର୍ବରୁ ଥିବା ସ୍କୁଲଟି ରାସ୍ତା ପାଇଁ ଭଙ୍ଗା ହେବାକୁ ଯାଉଛି । ତେଣୁ କର୍ତ୍ତୃପକ୍ଷ ପ୍ରଶାସନର ସହାୟତାରେ ଗାଁର ଅନ୍ୟ ଏକ ସ୍ଥାନରେ ନୂତନ ସ୍କୁଲ ଘର ନିର୍ମାଣ କରିଛନ୍ତି । ତେବେ ନିର୍ମାଣ ପୂର୍ବରୁ ୧ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯିବା ସହ କଣ କଣ କରାଯିବ ସେନେଇ ଚିଠା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ନିର୍ମାଣ ବେଳେ ତାହା କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ପ୍ରାୟ ୧ କୋଟି ୪୨ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିବା ନୂତନ ସ୍କୁଲ ଘର ଅତ୍ୟନ୍ତ ନିମ୍ନମାନର ହୋଇଛି । ବର୍ଷା ହେଲେ ପିଲାମାନେ ଶ୍ରେଣୀ ଗୃହକୁ ଯିବା କଷ୍ଟକର ହୋଇ ପଡିବ । ଏପରିକି ବାହାର ବର୍ଷା ପାଣି ଘର ଭିତରେ ପଶିବ । ତେଣୁ ପିଲାମାନଙ୍କ ପ୍ରତି ବିପଦ ରହିଛି । ଏହାର ତଦନ୍ତ କରାଯାଇ ଅର୍ଥ ବାଟମାରଣା କରିଥିବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।