ସ୍କୁଲ ପ୍ରିନ୍ସପାଲଙ୍କ ଘରେ କଳାକାନା ବୁଲାଇଲେ ଦୁର୍ବୃତ୍ତ ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମାତିଛନ୍ତି ଲୁଟେରା । ଟାର୍ଗେଟରେ ଭିଭିଆଇପି କଲୋନୀ । ଜିଲ୍ଲାର ସବୁଠାରୁ କଡ଼ା ସୁରକ୍ଷା ଜୋନରେ ରହୁ ଥିବ ନାଲକୋ କଲୋନୀରେ ପଶି ସ୍କୁଲ ପ୍ରିନ୍ସପାଲଙ୍କ ଘରେ କଳାକାନା ବୁଲାଇଲେ ଲୁଟେରା । ସବୁଠାରୁ ହାଇ ସିକ୍ୟୁରିଟି ସ୍ଥାନରେ ଚୋରି କରି ଲୁଟେରା ପୋଲିସକୁ ଖୋଲା ଚ୍ୟାଲେଞ୍ଜ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଅନୁଗୋଳ ନାଲକୋ କଲୋନୀରୁ ଏସ୍ଭିଏମ୍ ସ୍କୁଲ୍ର ଅଧ୍ୟକ୍ଷ ଡ.ଶତ୍ରୁଘ୍ନ ବେହେରାଙ୍କ ଘରେ ଚୋରି ହୋଇଛି ।
ଅଧ୍ୟକ୍ଷଙ୍କୁ ବାହାରୁ କବାଟ କିଳି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଶତ୍ରୁଘ୍ନ ବେହେରାଙ୍କ ପରିବାର ଲୋକେ କିଛି ଦିନ ହେବ ବାହାରକୁ ଯାଇଥିଲେ । ଘରେ କହିନଥିବାର ସୁଯୋଗ ନେଇ ଲୁଟ୍ କରିବାରେ ସଫଳ ହୋଇଥିଲେ ଲୁଟେରା । ରାତିରେ ଏକୁଟିଆ ଘରେ ଶୋଇଥିବା ବେଳେ ଲୁଟେରାମାନେ ତାଙ୍କୁ ରୁମ୍ରେ ବନ୍ଦ କରି ଦେଇ ଅନ୍ୟ ରୁମ୍ର ଆଲମିରା ଭାଙ୍ଗି ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଛି । ରାତିରେ ଉଠିବା ପରେ ସେ ଜାଣିବାକୁ ପାଇଥିଲେ ତାକୁ କେହି ବାହାରୁ ବନ୍ଦ କରିଦେଇଛି । ବହୁ ସମୟ ଧରି ଡାକିବା ପରେ ପାଖ ଲୋକେ ତାଙ୍କ ପାଟି ଶୁଣି କବାଟ ଖୋଲିବା ପରେ ତାଙ୍କ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।
ଦୁର୍ବୃତ୍ତ ଆସି ଆଲମିରା ଭାଙ୍ଗି ସୁନା ଅଳଙ୍କାର ଚୋରି କରିଥିବା ଜାଣିବାକୁ ପାଇଥିଲେ । ପରେ ନାଲକୋ ସୁରକ୍ଷା କର୍ମୀ ଓ ଥାନା ଅଧିକାରୀଙ୍କୁ ଅବଗତ କରିଥିଲେ ଶତ୍ରୁଘ୍ନ ବେହେରା । ଖବର ପାଇ ନାଲକୋ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚଳାଇଛି ପୋଲିସ । ତେବେ ଶତ୍ରୁଘ୍ନ ବେହେରାଙ୍କ ସୂଚନା ଅନୁଯାୟୀ ଆଲମିରାରୁ ୧୨ଟି ସୁନା ମୁଦି, ଦୁଇଟି ରୂପା ପାଉଞ୍ଜି, ଦୁଇଟି ସୁନା ହାର ଚୋରି କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା ବୋଲି ଜଣା ପଡିଛି ।
ସବୁଠାରୁ ବଡ଼ କଥା ହେଉଛି ନାଲକୋ କଲୋନୀ ଚତୁର୍ପାର୍ଶ୍ୱ ପାଚେରୀ ଘେରା, ସୁରକ୍ଷା କର୍ମୀଙ୍କ ପ୍ରହରା ଏବଂ ସିସିଟିଭିରେ କବଜାର୍ ରହିଛି । ହେଲେ ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ସ୍ୱତ୍ତ୍ବେ ଦୁର୍ବୃତ୍ତମାନେ କଲୋନୀରେ ଲୁଟ୍ପାଟ୍ ଘଟଣାରେ କଲୋନୀ ବାସି ଅତିଷ୍ଠ ହୋଇ ପଡୁଛନ୍ତି । ଏ ସମ୍ପର୍କରେ ନାଲକୋ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଅବଗତ କରାଇବା ସହ କଲୋନୀବାସୀ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଇଟିଭି ଭାରତ, ଅନୁଗୋଳ