ଅନୁଗୋଳ: ଜିଲ୍ଲାରେ ହାତୀ ମଣିଷ ଲଢେଇ ରୋକିବାକୁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ। ଏ ନେଇ ଅନୁଗୁଳ ସର୍କିଟ ହାଉସଠାରେ ଶନିବାର ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ତତ୍ୱବାଧାନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ଅନୁଗୋଳ, ଆଠମଲ୍ଲିକ ଏବଂ ସାତକୋଶିଆ ଡିଏଫଓ, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ବନ୍ତଳା ଅଞ୍ଚଳରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ହେତୁ, ତାହା କିଭଳି ରୋକି ହେବ ସେନେଇ ଯୋଜନା ପ୍ରସ୍ତୁତ କରା ଯାଇଥିଲା ।
ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ ନିୟନ୍ତ୍ରଣ କରିବାକୁ ସରକାର ପ୍ରାୟ ସାଢ଼େ ୪କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ସେହି ଅନୁଦାନ ଅର୍ଥକୁ କିଭଳି ସଠିକ ଢଙ୍ଗରେ ବ୍ୟବହାର କରାଯାଇ ପାରିବ ଏବଂ ଲୋକେ ଉପକାର ପାଇ ପାରିବେ ସେନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସମୀକ୍ଷା କରିଥିଲେ ।
ସୂଚନା ଯୋଗ୍ୟ ବନ୍ତଳା ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ୪୩ଟି ଗାଁ ଚିହ୍ନଟ କରାଯାଇଛି । ସେହି ୪୩ଟି ଗାଁର ବିଭିନ୍ନ ସ୍ଥାନରେ ୪୩ଟି ଉଚ୍ଚ ଶକ୍ତି ସମ୍ପନ୍ନ ହାଇ ମାସ୍କ ଲାଇଟ ଲଗାଯିବ । ପ୍ରାୟ ୨୨କିମି ଟ୍ରେଞ୍ଚ ଖନନ କରାଯିବ । ଏଥିମଧ୍ୟରୁ ବର୍ତମାନ ସୁଧା ୫କିମିରୁ ଅଧିକ ଖନନ କାର୍ଯ୍ୟ ଶେଷ ହୋଇଛି । ୪୩କିମି ସୋଲାର ଫେନସିଂ ନିର୍ମାଣ କରାଯିବ । ବର୍ତମାନ ୧୦କିମି ନିର୍ମାଣ ସରିଛି । ହାତୀ ଆସିବା ଆଗରୁ ଲୋକେ କିଭଳି ଜାଣି ପାରିବେ ସେଥିପାଇଁ ସାଇରନ ସିଷ୍ଟମ ଲଗା ଯାଉଛି ।