ଅନୁଗୋଳ: ଅନୁଗୋଳ ବନଖଣ୍ଡର ଘଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମାତିଛି କଲରାପତରିଆ ବାଘ । କୃଷ୍ଣଚକ୍ରଗଡ଼ ଏବଂ କୁଲୁସର ଗାଁ ପାଖ ଜଙ୍ଗଲରେ କଲରାପତରିଆ ବାଘ ଆତଙ୍କ ଦେଖିବାକୁ ମିଳିଛି । ଗତ ସପ୍ତାହରେ ଛେଳି ଚରାଇବାକୁ ଯାଇଥିବା ଦୁଇଜଣ ଗ୍ରାମବାସୀଙ୍କୁ ଅତର୍କିତ ଭାବେ ବାଘ ଆକ୍ରମଣ କରିଥିଲା । ଏହାପରେ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକେ ଗାଈ, ଛେଳି ଚରାଇବାକୁ ଜଙ୍ଗଲକୁ ଯାଉ ନାହାଁନ୍ତି କି ରାତି ହେଲେ ଘରୁ ବାହାରୁ ନାହାନ୍ତି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ମଧ୍ୟ ଭୟରେ ଜଙ୍ଗଲ ଭିତରକୁ ଯାଉ ନାହାଁନ୍ତି । ଫଳରେ ଜୀବନ ଜୀବିକା ନେଇ ଆଶା ଆଶଙ୍କରେ ଗ୍ରାମବାସୀ ।
ଅନୁଗୋଳ ବନଖଣ୍ଡର ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ କୃଷ୍ଣଚକ୍ରଗଡ଼, କୁଲୁସର, ମାନିକଯୋଡି ଓ ସରଧାପୁର ଭଳି ଅନେକ ଗାଁ । ଚାରିଆଡେ କେବଳ ଜଙ୍ଗଲ ଓ ପାହାଡ଼ । ମଝିରେ ଏହିସବୁ ଗାଁ ରହିଛି । ଲୋକଙ୍କର ଆର୍ଥିକ ସ୍ଥିତି ମଧ୍ୟ ସେତେଟା ଉନ୍ନତ ନୁହେଁ । ଅଧିକାଂଶ ଲୋକ ଗାଈ, ଛେଳି ଓ ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରନ୍ତି । ହାତୀ ଉପଦ୍ରବ ଯୋଗୁଁ ଚାଷବାସ ସମ୍ପୂର୍ଣ୍ଣ ଛାଡି ଦେଲେଣି । ଜଙ୍ଗଲକୁ ଯାଇ ଶାଳପତ୍ର, ଛତୁ, ବାଉଁଶ, ମହୁ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି କିଛି ଲୋକ ଜୀବିକା ନିର୍ବାହ କରନ୍ତି । ହେଲେ କିଛି ଦିନ ହେଲା ସେମାନଙ୍କ ଜୀବିକା ଉଜୁଡି ଯାଇଛି । କୃଷଚକ୍ରଗଡ଼ ଗାଁର ଦୁଇଜଣ ଲୋକ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ ଏକ କକରାପତାରିଆ ବାଘ ଛେଳିକୁ ଖାଇବାକୁ ଝାମ୍ପ ମାରିଥିଲା । ଛେଳିକୁ ବଞ୍ଚାଇବାକୁ ଯାଇ ଦୁଇଜଣ ଛେଳି ଚରାଳି ବାଘ ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କ ପାଟି ଶୁଣି ଆଖପାଖରେ ଥିବା ଅନ୍ୟମାନେ ଦୌଡ଼ି ପଳାଇ ଆସିବାରୁ ବାଘ ସେଠାରୁ ଦୌଡ଼ି ପଳାଇଥିଲା । ତେବେ ଗୁରୁତର ଅବସ୍ଥାରେ ଆହତଙ୍କୁ ବନ ବିଭାଗ ସହାୟତାରେ ଗ୍ରାମବାସୀ ଚିକିତ୍ସା ପାଇଁ ଅନୁଗୁଳ ଡାକ୍ତରଖାନାକୁ ଆଣିଥିଲେ। ଏବେ ସୁଦ୍ଧା ଆହତ ମାନଙ୍କ ଅବସ୍ଥା ଭଲ ନାହିଁ । ସେହି ଦିନ ଠାରୁ ସେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।