ଅନୁଗୋଳ:ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି(Diwali) । ଚଳିତ ବର୍ଷ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । ଗତ ଦୁଇବର୍ଷ ହେଲା କୋରୋନା କରିଗରଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଚଳିତ ବର୍ଷ ସମ୍ଭାବ୍ୟ ବାତ୍ୟା ଦୀପ ବେପାରରେ ଦାଉ ସାଧିଛି । ଏନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲାର ସହର ପାଖ ଜରାସିଂହା ଗାଁରେ ପ୍ରାୟ ୨ଶହରୁ ଅଧିକ କୁମ୍ଭକାର ପରିବାର ।
ଭଲ ରୋଜଗାର କରିବା ଆଶାରେ ଏ ବର୍ଷ ମଧ୍ୟ ସମସ୍ତେ ମାଟିର ଦୀପ ତିଆରି କରିଥିଲେ । ଆଶା ଥିଲା କରୋନା କଟକଣା ପରେ ଏବର୍ଷ ଭଲ ବିକ୍ରି ହେବ । ଭଲ ଦି ପଇସା ଲାଭ ପାଇବେ । ହେଲେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ଦୀପ ବିକ୍ରି ଭଲ ହେଉନି । ଏହାଛଡା ସୂର୍ଯ୍ୟ ପରାଗ ଥିବାରୁ ଆଗକୁ ଦୀପ ବିକ୍ରି ହେବ କି ନାହିଁ ସେନେଇ ମଧ୍ୟ ସନ୍ଦେହରେ । ସମସ୍ତଙ୍କ ଘରେ ହଜାର ହଜାର ଦୀପ ମହଜୁଦ ରହିଛି, ତେଣୁ କଣ କରିବେ ସେହି ଚିନ୍ତାରେ ପଡ଼ି ଯାଇଛନ୍ତି ଏହି କୁମ୍ଭକାର ପରିବାର ।
ଏହା ମଧ୍ୟ ପଢନ୍ତୁ:Solar Eclipse: ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା
ଜରାସିଂହା ଗାଁର ଏହି କୁମ୍ଭାର ପରିବାର ପୁରୁଷ ପୁରୁଷ ଧରି ମାଟିର କଲସ, ହାଣ୍ଡି ଓ ଦୀପ ତିଆରି କରିଆସୁଛନ୍ତି । ବିଶେଷ କରି ଦୀପାବଳି ଆସିଲେ ସମସ୍ତେ ଚଳଚଞ୍ଚଳ ହୋଇପଡନ୍ତି । ଘରର ମହିଳାଙ୍କ ଠାରୁ ପୁରୁଷ ଓ ବୁଢ଼ାବୁଢ଼ୀ ସମସ୍ତେ ଲାଗି ପଡନ୍ତି ମାଟିର ଦୀପ ତିଆରି କାମରେ । ପୁରୁଷମାନେ କିଏ ଚକିରେ କାମ କରୁଥାଏ ତ ଆଉ କିଏ ଭାଟିରେ ଦୀପ ପୋଡ଼ୁ ଥାଏ । ଏଠାରେ ଗୋଟିଏ ଗୋଟିଏ ପରିବାର ପ୍ରାୟ ୧୦ ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଦୀପ ତିଆରି କରି ବିକ୍ରି କରନ୍ତି । ଚଳିତ ବର୍ଷ ମଧ୍ୟ ସେମିତି ହୋଇଛି ।
ଏହା ମଧ୍ୟ ପଢନ୍ତୁ:CYCLONE UPDATE: ଅବପାତରେ ପରିଣତ ହେଲା ଲଘୁଚାପ, କାଲିଠୁ ବର୍ଷା !
ସମ୍ଭାବ୍ୟ ବାତ୍ୟା ଏବଂ ସୂର୍ଯ୍ୟପରାଗ ସେମାନଙ୍କ ଜୀବିକାରେ ବାଧକ ସାଜିଲା ଭଳି ମନେହେଉଛି । ଏଠାରୁ ବାହାର ବେପାରୀମାନେ ଆସି ଦୀପ କିଣି ନେଉଥିଲେ । କିନ୍ତୁ ଚଳିତବର୍ଷ କେହି ଆସି ନାହାଁନ୍ତି । ଏହାଛଡା କିଛି ପରିବାରର ସଦସ୍ୟ ନିଜେ ସାହି ସାହି ବୁଲି ଦୀପ ବିକ୍ରି କରୁଛନ୍ତି । ବଜାର ଓ ହାଟକୁ ନେଉଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ଦୀପ ବିକ୍ରି ହେଉ ନାହିଁ । ତେଣୁ ଚିନ୍ତାରେ ପଡ଼ି ଯାଇଛନ୍ତି ଏହି କୁମ୍ଭକାର ପରିବାର । ଏନେଇ କାରିଗରଙ୍କ କହିବା କଥା ହେଲା," ଦୀପାବଳି ପାଇଁ ଆମେ ମାଟି ଦୀପ ଦିଆରି କରିଥିଲୁ । କିନ୍ତୁ ଭଲ ଦିପଇସା ରୋଜଗାର ହେବ କି ନାହିଁ ସନ୍ଦେହ । ବାତ୍ୟା ଏବଂ ସୂର୍ଯ୍ୟପରାଗ ଯୋଗୁଁ ଦୀପ ବିକ୍ରି ହୋଇପାରୁନାହିଁ । କେହି ଦୀପ କିଣୁନାହାନ୍ତି । କଣ କେମିତି ଚଳିବୁ ସେନେଇ ଚିନ୍ତା ଲାଗୁଛି ।"