ଅନୁଗୁଳ: ନିର୍ମାଣର ଦେବତା ବିଶ୍ଵବିନ୍ଧାଣି ବିଶ୍ଵକର୍ମା । ଯେଉଁଠି ନିର୍ମାଣ ହୁଏ ସେହିଠାରେ ହିଁ ଆରାଧନା କରାଯାଏ ଦେବଶିଳ୍ପୀଙ୍କୁ । ଯାହାଙ୍କ ପୂଜା ପାଇଁ ଆଲୁମିନିୟମ ନଗରି ଏବେ ସାରା ଓଡିଶାରେ ପ୍ରସିଦ୍ଧ । ଆକାଶ ଛୁଆଁ ତୋରଣ ଭଳିକି ଭଳି ଆଲୋକସଜ୍ଜା ଓ ଭିତରର ସାଜ ସଜ୍ଜା ଅକୃଷ୍ଠ କରିଥାଏ ପ୍ରତିଟି ଦର୍ଶକଙ୍କ ମନକୁ । ଯାହା ପାଇଁ ୬ ରୁ ୭ ଦିନ ଧରି ଉତ୍ସବ ମୁଖରିତ ହୋଇଉଠେ ଅନୁଗୋଳ ଜିଲ୍ଲାର ନାଲକୋ ନଗର ।
ଦୀର୍ଘ ପ୍ରାୟ ୨୫ ବର୍ଷ ରୁ ଅଧିକ ଦିନ ଧରି ଓଡିଶାର ଆଲୁମିନିୟମ ନଗରି ଭାବେ ପରିଚିତ ଅନୁଗୋଳର ନାଲକୋ ନଗରରେ ଆୟୋଜିତ ହେଉଛି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା । ନିର୍ମାଣ ଦେବତା ଭାବେ ପରିଚିତ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ପାଇଁ ଉତ୍ସବ ମୁଖରିତ ଏବେ ନାଲକୋ ନଗର । ନାଲକୋର ବିଭିନ୍ନ ବିଭାଗ ଯେପରି ପଟଲାଇନ , କାଷ୍ଠହାଉସ ଏ , କାଷ୍ଠହାଉସ ବି , ମେଟାଲିକ ଡିପାର୍ଟମେଣ୍ଟ, କାର୍ବନ ଏରିଆ ,ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ଆଦି ବିଭାଗ ପକ୍ଷରୁ ବିଶ୍ଵକର୍ମାଙ୍କୁ ପୂଜା କରାଯାଉଛି । ୧୭ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପୂଜା ଦେଖିବା ପାଇଁ ସଞ୍ଜ ନଇଁଲା କ୍ଷଣି ଲକ୍ଷ ଲକ୍ଷ ଦେଖଣାହାରିଙ୍କ ସୁଅ ଛୁଟୁଛି । ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ଲୋକ ଦେବ ଶିଳ୍ପୀଙ୍କର ଏହି ପୂଜା ଦେଖିବା ପାଇଁ ହେଉଛନ୍ତି ନାଲକୋ ନଗର ମୁହାଁ । ସବୁଠାରୁ ବ୍ୟବବହୁଳ ପୂଜା ଭାବେ ପରିଚିତ ଏହି ପୂଜାଉତ୍ସବ କୁ କେହିବି ହାତ ଛଡା କରୁନାହାଁନ୍ତି ।