ଓଡିଶା

odisha

ETV Bharat / state

ଅନୁଗୋଳରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ - ଚାଷୀ

ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ମରୁଡି ଆଶଙ୍କା କରୁଛି ଚାଷୀ । ଅଧିକ ପଢନ୍ତୁ...

ଅନୁଗୋଳରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ
ଅନୁଗୋଳରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ

By

Published : Aug 10, 2021, 10:20 PM IST

ଅନୁଗୋଳ: ଜିଲ୍ଲାରେ ମରୁଡ଼ିର ଆଶଙ୍କା । ଆବଶ୍ୟକ ବର୍ଷାଭାବରୁ ଧାନ ତଳି ପୋଡିବାକୁ ବସିଲାଣି ଆଉ କେତେକ ଜମି ଫାଟି ଆଁ କରିଛି । ଜଳସେଚନ ଅଞ୍ଚଳରେ କିଛି କିଛି ଜମିରେ ଚାଷୀମାନେ ଧାନ ରୁଆ କାମ କରୁଛନ୍ତି । କିନ୍ତୁ କୌଣସି ଜଳସେଚନ ପ୍ରକଳ୍ପରେ ପାଣି ନଥିବାରୁ ଆଉ ଦୁଇ ତିନି ଦିନ ମଧ୍ୟରେ ବର୍ଷା ନହେଲେ ତାହା ମଧ୍ୟ ଶୁଖି ଯିବ। ଯେଉଁ ସମୟରେ ଚାରିଆଡେ ଧାନକ୍ଷେତ ସବୁଜିମାରେ ଭରପୁର ହୋଇ କ୍ଷେତ ହସି ଉଠିବା କଥା ସେହିସମୟରେ ଜମି ପଡିଆ ପଡିଛି । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ ।

ଅନୁଗୋଳରେ ବର୍ଷା ଅଭାବ, ଚିନ୍ତାରେ ଚାଷୀ

ଶ୍ରାବଣରେ ବୈଶାଖର ନିଦାଘ । ବିଗତ ୧୫ ଦିନ ହେବ ଅନୁଗୋଳ ଜିଲ୍ଲାରେ ବର୍ଷାର ଦେଖା ନାହିଁ । ସତେ ଯେପରି ବର୍ଷାକୁ ଚାତକ ଭଳି ଚାହିଁ ବସିଛି ଜିଲ୍ଲାର ଚାଷୀ । ବର୍ଷାଭାବ କାରଣରୁ କେଉଁଟି ତଳି ସବୁ ମରି ଯାଇଥିବା ବେଳେ କେତେକ ବିଲରେ ଆଉ ତଳିରୁଆ ଉପଯୋଗୀ ହୋଇ ରହି ନାହିଁ । ଏକର ଏକର ଜମି ପଡିଆ ପଡିଛି । ଏଭଳି ସ୍ଥିତି ଦେଖି ଚାଷୀଙ୍କ ଆଖିରେ ଆସିଯାଉଛି ଲୁହ । କିଛି କିଛି ଜଳ ସେଚିତ ଜମିରେ ଚାଷୀ ମାନେ ତରବରିଆ ଭାବେ ରୁଆ ପୋତା କରିଛନ୍ତି ।

କିନ୍ତୁ କୌଣସି ଜଳାଶୟରେ ଆଉ ପାଣି ନଥିବାରୁ ନିକଟ ଭବିଷ୍ୟତରେ ବର୍ଷା ନହେଲେ ତାହା ମଧ୍ୟ ଶୁଖି ଯିବାର ସମ୍ଭାବନା ରହିଛି । କୃଷି ବିଭାଗ ରେକର୍ଡ ଅନୁସାରେ ଗତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହରେ ୧୬୩ ମିଲିମିଟର ବର୍ଷା ହୋଇଥିଲା । କିନ୍ତୁ ଚଳିତ ବର୍ଷ ମାତ୍ର ୬.୩୨ମିଲିମିଟର ବର୍ଷା ହୋଇଛି । ଯାହାକି ଆଦୌ ନାହିଁ କହିଲେ ଚଳେ । ତେଣୁ ଏକ ପ୍ରକାର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାରେ ମୋଟ ୮୬ହଜାର ୪୫ହେକ୍ଟର ଜମିରେ ଧାନ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରା ଯାଇଛି । ସେଥି ମଧ୍ୟରୁ ୪୨ହଜାର ୧୦୫ହେକ୍ଟର ଜମିରେ ବୁଣା ଏବଂ ୪୩ହଜାର ୧୩୩ହେକ୍ଟର ଜମିରେ ରୁଆ ଧାନ କରାଯିବ। ମୋଟ ଲକ୍ଷ୍ୟ ଧାର୍ଯ୍ୟ ମଧ୍ୟରୁ ୪୪ହଜାର ହେକ୍ଟର ଜଳ ସେଚିତ ଜମି ରହିଥିବା ବେଳେ ୪୨ହଜାର ହେକ୍ଟର ଅଣ ଜଳ ସେଚିତ ଜମି ରହିଛି ।

ତେଣୁ ଅଣ ଜଳ ସେଚିତ ଜମିରେ ଚାଷ କାର୍ଯ୍ୟ କରାଯାଇ ପାରିନାହିଁ। ଜଳ ସେଚିତ ଜମି ଗୁଡିକରେ ମଧ୍ୟ ଶତପ୍ରତିଶତ ରୁଆ ଏବଂ ବେଉଷଣ ହୋଇ ନାହିଁ । କାରଣ ଏବେ କୌଣସି ଜଳ ସେଚନ ପ୍ରକଳ୍ପରେ ଆଉ ପାଣି ନାହିଁ । ଜିଲ୍ଲାରେ ଦେଖା ଦେଇଥିବା ଏଭଳି ପରିସ୍ଥିତିକୁ ମଧ୍ୟ ସ୍ଵୀକାର କରିଛନ୍ତି ବିଭାଗୀୟ ଅଧିକାରୀ । ବର୍ତମାନ ଚାଷ କାର୍ଯ୍ୟ ବିଳମ୍ବ ହେଉଥିବାରୁ ବର୍ଷା ହେଲେ ମଧ୍ୟ ଉତ୍ପାଦନ କମ ରହିବ । ଏହାଛଡା ବହୁ ଜମିରେ ଧାନ ତଳି ପୋଡି ଯାଇଥିବାରୁ ରୁଆ କାର୍ଯ୍ୟ ପାଇଁ ତଳି ମିଳିବ ନାହିଁ। ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ଜିଲ୍ଲାର ଚାଷୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details