ଅନୁଗୋଳ:ଦିନ ଥିଲା ସେଠାରେ କେବଳ କିଛି ଲତା ବୁଦା ଓ ଛୋଟ ମୋଟ ଅନବନା ଗଛ ଥିଲା । ହେଲେ ଆଜି ବିଶାଳକାୟ ଶାଳ, ସାଗୁଆନ, ଅସନ, ଧଉରା, ଖଇର ସମେତ ବହୁ ପ୍ରଜାତିର ଶହଶହ ଗଛ ଅଛି । ଘଞ୍ଚ ଜଙ୍ଗଲରେ ପରିଣତ ହୋଇ ଯାଇଛି । ସେଠାରେ ହରିଣ, କୁଟୁରା, ସମ୍ବର, ବାରହା ପରି ଅନେକ ବନ୍ୟଜନ୍ତୁ ରହୁଛନ୍ତି । ଜରପଡା ବନାଞ୍ଚଳର ଜେରେଙ୍ଗ ଦେହୁରୀସାହି ଗ୍ରାମବାସୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଆନ୍ତରିକତା ସହ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
ଗ୍ରାମବାସୀମାନେ ପ୍ରାୟ ୨ଶହ ହେକ୍ଟର ଜମିରେ ସୃଷ୍ଟି କରିଛନ୍ତି ଘଞ୍ଚ ଜଙ୍ଗଲ । ଜଙ୍ଗଲକୁ ଦେଖିଲେ ପେଟ ପୁରି ଯାଉଛି । ୩୨ ବର୍ଷର ତପସ୍ୟା ପରେ ଆଜି ତାହା ସମ୍ଭବ ହୋଇପାରିଛି । ୩୨ବର୍ଷ ପୂର୍ବେ ଗୋଟିଏ ଲଣ୍ଡା ପାହାଡ଼ ଏବଂ ପାହାଡ଼ ତଳେ ଲତା ବୁଦା। ଏଭଳି ଅବସ୍ଥା ଦେଖି ଜେରେଙ୍ଗ ଦେହୁରୀସାହିର କିଛି ଲୋକ ନିଜ ପାଇଁ ନିଜେ ଜଙ୍ଗଲ ସୃଷ୍ଟି କରିବାକୁ ସ୍ଥିର କଲେ । ୧୯୮୮ମସିହାରେ ସେମାନେ କୌଣସି ଗଛ ନଲଗାଇ କେବଳ ଜଙ୍ଗଲକୁ ଜଗିଲେ । ଦୁଇ ବର୍ଷ ଜଙ୍ଗଲକୁ ଜଗରଖା କରିବା ପରେ ଲୋକଙ୍କର ଜଙ୍ଗଲ ସୁରକ୍ଷା ପ୍ରତି ଥିବା ଆଗ୍ରହ ଦେଖି ବନ ବିଭାଗ ତରଫରୁ ସେଠାରେ ୧୯୯୦ରେ ଏକ ବନ ସୁରକ୍ଷା ସମିତି ଗଠନ କଲେ ।
ସେ ଦିନରୁ ଗ୍ରାମବାସୀ ଆଉ କେବେ ପଛକୁ ଫେରି ନାହାଁନ୍ତି । ନିଜ ପାଇଁ ନିଜେ ନୂଆ ନୂଆ ନିୟମ କରି ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି । ୩୨ବର୍ଷ ହେଲା ପ୍ରତ୍ୟକ ଦିନ ୧୦ଜଣ ଲେଖାଏଁ ଟାଙ୍ଗିଆ, ଠେଙ୍ଗା ଓ ଝାଡୁ ଧରି ସକାଳୁ ସଞ୍ଜ ଯାଏଁ ଜଙ୍ଗଲ ଭିତରେ ପଇଁତରା ମାରୁଛନ୍ତି । ଜଙ୍ଗଲ ଭିତରେ କାଠଚୋର ଓ ଜନ୍ତୁ ଶିକାରୀଙ୍କୁ ପୁରାଇ ଦେଉ ନାହାନ୍ତି । ଖରାଦିନେ ନିଆଁ ଲାଗିବାକୁ ଦେଉ ନାହାନ୍ତି । ସବୁଠାରୁ ବଡ଼ କଥା ହେଲା ୩୨ବର୍ଷ ଭିତରେ ଜଙ୍ଗଲରେ କେବେ ହେଲେ ନିଆଁ ଲାଗି ନାହିଁ । ଜଙ୍ଗଲରେ ବହୁ ସଂଖ୍ୟାରେ ଜନ୍ତୁ ବିଚରଣ କରୁଥିଲେ ମଧ୍ୟ କେବେ କୌଣସି ଜନ୍ତୁ ଶିକାର ହୋଇ ନାହିଁ ।