ଓଡିଶା

odisha

ETV Bharat / state

ଶେଷ ହେଲା ଅଗ୍ନିରୂପା ହିଙ୍ଗୁଳା ମାଙ୍କ ଜନ୍ତାଳ ପୂଜା - ହିଙ୍ଗୁଳା ମା'ଙ୍କ ଜନ୍ତାଳ ପୂଜା ଶେଷ

ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ହିଙ୍ଗୁଳା ମା'ଙ୍କ ଜନ୍ତାଳ ପୂଜା ଶେଷ ହୋଇଛି । ଅଧିକ ପଢନ୍ତୁ

ଶେଷ ହେଲା ଅଗ୍ନିରୂପା ହିଙ୍ଗୁଳା ମା'ଙ୍କ ଜନ୍ତାଳ ପୂଜା
ଶେଷ ହେଲା ଅଗ୍ନିରୂପା ହିଙ୍ଗୁଳା ମା'ଙ୍କ ଜନ୍ତାଳ ପୂଜା

By

Published : Apr 7, 2022, 10:10 PM IST

ଅନୁଗୋଳ: ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି । ଗତକାଲି(ବୁଧବାର) ଅପରାହ୍ନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ କୁଟେଇ ଶୁଣି ମଣ୍ଡପକୁ ଅଣାଯାଇଥିଲା ।

ସେଠାରେ ମୁଖ୍ୟପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା' ହିଙ୍ଗୁଳାଙ୍କ ଆଲମକୁ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା କରିଥିଲେ । ଏହାପରେ ପୂର୍ବ ପରମ୍ପରା ଅନୁଯାୟୀ ଡାକୁଆମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ବାସଗୃହକୁ ଯାଇଥିଲେ । ସେଠାରେ ପତିଆରଙ୍କୁ ତିନି ଡାକ ଡାକିବାରୁ ସେ ଘରୁ ବାହାରକୁ ଆସି ନିକଟସ୍ଥ ପୁଷ୍କରଣୀରେ ସ୍ନାନ କରି କୁଟେଇଶୁଣି ମଣ୍ଡପକୁ ଯାଇଥିଲେ । ମୁଖ୍ୟ ଦେହୁରୀ ତାଳଚେର ରାଜାଙ୍କ ପ୍ରଦତ ନୂତନ ବସ୍ତ୍ର ପ୍ରଦାନ କରି ପତିଆରଙ୍କୁ ସ୍ବାଗତ କରିଥିଲେ ।

ନୂତନ ରାଜବସ୍ତ୍ର ପରିଧାନ କରିସାରିଲା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ ବିଧି ଅନୁଯାୟୀ ପୂଜା କରା ଯାଇଥିଲା । ଗୁଡ, ମହୁ, ଝୁଣା, ଚନ୍ଦନ, ଫୁଲ, ଅକ୍ଷତ ଆଦି ଦେଇ ମୁଖ୍ୟ ପୂଜକ ପତିଆରଙ୍କୁ ପୂଜା କରିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ହରିବୋଲ, ହୁଳହୁଳି ଶବ୍ଦ ସହ ପାରମ୍ପରିକ ବାଦ୍ୟ ଢୋଲ, ନିଶାଣ, ମହୁରୀ ଶବ୍ଦରେ ସମଗ୍ର ପରିବେଶ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ଏହି ପୂଜାକୁ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା' ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବଦ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି ।

ପୂର୍ବ ସୂଚନାକୁ ଆଧାର କରି ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା'ଙ୍କ ଆବିର୍ଭାବ ସ୍ଥଳୀ ବା ଉଭାସ୍ଥଳୀକୁ ଚିହ୍ନଟ କରିଥାନ୍ତି । ମହାମାରୀ କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ମା' ହିଙ୍ଗୁଳାଙ୍କ ଏହି ଅନନ୍ୟ ପର୍ବ ନିରାଡମ୍ବର ସହକାରେ ମଧ୍ୟରେ ପାଳିତ ହୋଇଥିଲା । ପରନ୍ତୁ ଚଳିତ ବର୍ଷ ଏହି ପର୍ବକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details