ଓଡିଶା

odisha

ETV Bharat / state

ଶୈଳ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସେନାର ଭକ୍ତ ଜାଗରଣ ଯାତ୍ରା

Srimandir Four Doors Opening Demand: ଶୈଳ ଶ୍ରୀକ୍ଷେତ୍ରଠାରେ ପୁରୀ ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଯାତ୍ରା । ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ସମସ୍ତଙ୍କ ପାଇଁ ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ଗଣତି କରିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରଠାରେ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

ଜଗନ୍ନାଥ ସେନାର ଭକ୍ତ ଜାଗରଣ ଯାତ୍ରା
ଜଗନ୍ନାଥ ସେନାର ଭକ୍ତ ଜାଗରଣ ଯାତ୍ରା

By ETV Bharat Odisha Team

Published : Jan 11, 2024, 7:46 AM IST

ଜଗନ୍ନାଥ ସେନାର ଭକ୍ତ ଜାଗରଣ ଯାତ୍ରା

ଅନୁଗୋଳ:ଶୈଳ ଶ୍ରୀକ୍ଷେତ୍ରଠାରେ ପୁରୀ ଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଯାତ୍ରା । ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ସମସ୍ତଙ୍କ ପାଇଁ ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ଗଣତି କରିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା କରାଯାଇଛି । ଦେଉଳ ଦୁଆରେ ସରକାରଙ୍କ ନୀତି ବିରୁଦ୍ଧରେ କରାଯାଇଛି ନାରାବାଜି ।

ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ସମସ୍ତଙ୍କ ପାଇଁ ଖୋଲିବା ଓ ରତ୍ନ ଭଣ୍ଡାର ଖୋଲି ଗଣତି କରିବା ଦାବିରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରଠାରେ ଅନୁଷ୍ଠିତ ହୋଇଛି । ଗତ ନଭେମ୍ବର ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା ଯେ, ରତ୍ନ ଭଣ୍ଡାରର କେବଳ ଲେଜର ସ୍କାନିଂ ହେବ, କିନ୍ତୁ ରତ୍ନ ଗଣତି ହେବ ନାହିଁ । ପରିଚାଳନା କମିଟିର ଏହି ନିଷ୍ପରିକୁ ସେନା ଘୋର ବିରୋଧ କରିଛି ।

ଏହାସହ ଗୋମାଂସ ଭକ୍ଷଣକାରୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ୩୧ ଡିସେମ୍ବର ରାତିରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖି ପ୍ରଶାସନିକ କାର୍ଯ୍ୟକୁ ମଧ୍ୟ ସେନା ଦୃଢ ନିନ୍ଦା କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରିସାରିବା ପରେ ବୁଧବାର ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ପହଞ୍ଚିଛି । ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ରାଜ୍ୟର ଅନ୍ୟ ପୁରପଲ୍ଲୀରେ ଜାରି ରହିବ ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ତେବେ ଜଗନ୍ନାଥ ସେନା ପକ୍ଷରୁ ଏହି ଦୁଇ ପ୍ରମୁଖ ଦାବି (ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାରର ରତ୍ନ ଗଣତି କରିବା)କୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇ ମାସ ମହଲତ ଦେଇଥିଲେ ।

ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲି ରତ୍ନ ଗଣତି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ପୁରୀ ଜିଲ୍ଲା ପ୍ରଶାସନର ଅନୁରୋଧ ଯୋଗୁଁ ସେନାର ଓଡ଼ିଶା ବନ୍ଦ ଡାକରା ସାମୟିକ ଭାବେ ସ୍ଥଗିତ ରହିଥିଲା । ସେଥିପାଇଁ ସେନା ଭକ୍ତ ଜାଗରଣ ଓ ଜନସଂପର୍କ ଯାତ୍ରା ଜାରି ରଖିଛି । ଯଦି ଆସନ୍ତା ଜାନୁୟାରୀ ମାସ ୧୭ ତାରିଖ ମଧ୍ୟରେ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦିଅନ୍ତି ଓ ରତ୍ନଭଣ୍ଡାର ଖୋଲି ମରାମତି ସହ ରତ୍ନ ଗଣତି ମଣତି କରନ୍ତି ତେବେ ଆନ୍ଦୋଳନ ଏବଂ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ହେବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ରାୟଗଡ଼ାରେ ଜଗନ୍ନାଥ ସେନାର ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା

ହେଲେ ଯଦି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଶ୍ବବାସୀଙ୍କ ଧାର୍ମିକ ମାନସିକତା ସହ ଖେଳି ସମୟ ଗଡ଼ାନ୍ତି ଓ ଭକ୍ତଙ୍କୁ ଠକନ୍ତି ତାହେଲେ ନିଜର ଧାର୍ମିକ ଅଧିକାର (ସମ୍ବିଧାନ ପ୍ରଦାନ କରିଥିବା ଧାର୍ମିକ ଅଧିକାର ଯାହା ସମ୍ବିଧାନର ପାର୍ଟ-୩ ଓ ଧାରା- ୨୫-୨୮ ମଧ୍ୟରେ ଲେଖାଯାଇଛି) ପାଇଁ ସାମୟିକ ଭାବେ ସ୍ଥଗିତ ଥିବା ଆନ୍ଦୋଳନ ଓ ବନ୍ଦ ପୁନର୍ବାର ହେବ । ଏହାସହ ସମ୍ବିଧାନର ଧାରା ୩୨ ଅନୁଯାୟୀ ସୁପ୍ରିମକୋର୍ଟ କିମ୍ବା ଧାରା ୨୨୬ ଅନୁଯାୟୀ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ଆଇନଜୀବୀ ପଟ୍ଟନାୟକ ସରକାରଙ୍କୁ ଚେତାଇ ଦେଇଛନ୍ତି ।

ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "୪ ଦୁଆର ବନ୍ଦ ହେବା ଫଳରେ ଭକ୍ତମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅଯଥାରେ ଘଣ୍ଟା ଘଣ୍ଟା ଧାଡିରେ ଅପେକ୍ଷା କରିବାକୁ ପଡୁଛି । ଏହାଦ୍ବାରା ଲୋକେ ବେହୋସ ହୋଇଯାଉଛନ୍ତି ଓ ଭକ୍ତଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ପ୍ରଶାସନିକ ଅଧିକାରୀମାନେ ନିଜର ପତିଆରା ଜାହିର କରିବା ପାଇଁ ଏହିପରି କରୁଛନ୍ତି । କାରଣ ଲୋକେ ହଇରାଣ ହେଲେ ସେମାନଙ୍କ ନିକଟରେ ଗୁହାରି କରିବେ ଓ ସେମାନେ ନିର୍ଦ୍ଦେଶ ଦେଲେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ଅଧିକାରୀମାନଙ୍କ ଏହି ଏକଚାଟିଆ ମନୋଭାବ ପାଇଁ ରାଜ୍ୟ ଓ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଭକ୍ତବୃନ୍ଦ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନାକେଦମ ହେଉଛନ୍ତି । ତେଣୁ ଭକ୍ତଙ୍କ ସୁବିଧା ଓ ସୁରକ୍ଷିତ ଦର୍ଶନ ଦୃଷ୍ଟିରୁ ତୁରନ୍ତ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସାରିବା ସହ ୪ ଦୁଆର ଆସନ୍ତା ଜାନୁୟାରୀ ୧୭ ମଧ୍ୟରେ ଖୋଲାଯିବା ନିହାତି ଆବଶ୍ୟକ ।"

ପ୍ରିୟଦର୍ଶନ ଗଣମାଧ୍ୟମକୁ ସୂଚନା ଦେବା ସହ ପ୍ରଶ୍ନ କରିଛନ୍ତି ଯେ, ରତ୍ନଭଣ୍ଡାର ଓ ଚାରି ଦୁଆର ଖୋଲିବାକୁ ସରକାର କାହିଁକି ଡରୁଛନ୍ତି ? କାରଣ ଭବିଷ୍ୟତରେ ବିଶ୍ବନିୟନ୍ତାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆସିବେ । ମାତ୍ର ରାଜ୍ୟ ସରକାର ନିଜକୁ ଅଧିକ ବୁଦ୍ଧିମାନ ଭାବି ତିନି ଦୁଆର ବନ୍ଦ କରି ଗୋଟିଏ ହାରରେ କୃତ୍ରିମ ଗହଳି ସୃଷ୍ଟି କରାଇ ବିଚରା ନିରୀହ ଭକ୍ତମାନଙ୍କୁ ଅଯଥାରେ ହଇରାଣ ଓ କଷ୍ଟ ଦେଉଥିବାରୁ ଏହାର ପ୍ରତିବାଦ ସେନା ଜାରି ରଖିଛି ଓ ଫଳ ନମିଳିବା ପର୍ଯ୍ୟନ୍ତ ଜାରି ରହିବ । ସରକାର ନେଇଥିବା ଅନେକେ ନିଷ୍ପତ୍ତିକୁ ସେନା ବିରୋଧ କରିବା ସହ ଏହାର କଟୁ ସମାଲୋଚନା କରିଛି । ଯେଉଁଭଳି ଭାବେ ପରିକ୍ରମା ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଯାଉଛି ଆଉ ସରକାରୀ ଅର୍ଥରେ ଦଳୀୟ ପ୍ରଚାର କରାଯାଉଛି ତାକୁ ବନ୍ଦ କରାଯାଉ ବୋଲି ମଧ୍ୟ ସେନା ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details