ଓଡିଶା

odisha

ETV Bharat / state

Earthquake Zone: ତାଳଚେରକୁ ରହିଛି କି ଭୂକମ୍ପ ବିପଦ ? ତୁର୍କୀ ଭୁକମ୍ପ ପରେ ସୂତାଖିଅରେ ଝୁଲୁଛି 60 ହଜାର ଲୋକଙ୍କ ଭାଗ୍ୟ ! - ତାଳଚେରକୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା

ତୁର୍କୀରେ ଭୟାବହ ଭୂମିକମ୍ପ ପରେ ବିପଦ ଆଶଙ୍କାରେ ଥିବା ତାଳଚେରରେ ଲୋକଙ୍କ ମଧ୍ୟରେ ଆହୁରି ଭୟ ସୃଷ୍ଟି ହୋଇଛି । ବିଧାନସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କ ତଥ୍ୟ ଅଞ୍ଚଳବାସୀଙ୍କୁ ଆହୁରି ଭୟଭୀତ କରିଛି । ତେବେ ଜାଣନ୍ତୁ କଣ ରହିଛି ସ୍ଥିତି ?

people afraid after turkey earthquake
people afraid after turkey earthquake

By

Published : Feb 24, 2023, 10:26 PM IST

people afraid after turkey earthquake

ଅନୁଗୋଳ: ତୁର୍କୀରେ ଭୟାବହ ଭୂମିକମ୍ପ ପରେ ତାଳଚେରରେ କୋକୁଆ ଭୟ । ସୂତାଖିଅରେ ଝୁଲୁଛି ସହରର ୬୦ ହଜାର ଲୋକଙ୍କ ଭାଗ୍ୟ । ତୁର୍କୀରେ ଭୂମିକମ୍ପ ପରେ ବିପଦ ଆଶଙ୍କାରେ ଥିବା ତାଳଚେରରେ ଲୋକଙ୍କ ମଧ୍ୟରେ ଆହୁରି ଭୟ ସୃଷ୍ଟି ହୋଇଛି । ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କ ତଥ୍ୟ ଅଞ୍ଚଳବାସୀଙ୍କୁ ଆହୁରି ଭୟଭୀତ କରିଛି । ପୂର୍ବରୁ ଭୂତତ୍ୱ ବିଭାଗ ତାଳଚେରକୁ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ଘୋଷଣା କରିଛି । ଏଭଳି ସ୍ଥିତିରେ ତାଳଚେର ଅଞ୍ଚଳରେ ବନ୍ଦ ହୋଇ ରହିଥିବା ୪ଟି ଭୂତଳ କୋଇଲା ଖଣିରେ ଆବଶ୍ୟକ ବାଲି ଭର୍ତ୍ତି କରାଯାଇ ନ ଥିବାରୁ ଭିତରେ ପ୍ରାୟ ୧୦୦ମିଟର ତଳେ ଫମ୍ପା ରହିଛି । ତେଣୁ ଏଠାରେ ପ୍ରାକୃତିକ ଦୈବିପାକ ଯାହା ହେଉନା କାହିଁକି ଭୂମିକମ୍ପ ପାଇଁ ମଣିଷ ପର୍ଯ୍ୟାପ୍ତ ସୁଯୋଗ ଛାଡି ଦେଇଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସରକାରୀ ସ୍ତରରେ ଭୂକମ୍ପ ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମକୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ଧରଣର ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ସେ ଅଞ୍ଚଳରେ ସୁଉଚ୍ଚ ଘର ନିର୍ମାଣ ଉପରେ ମାର୍ଗ ଦର୍ଶକ ଜାରି ହୋଇଛି । ଆଗକୁ ତାଳଚେର ଅଞ୍ଚଳରେ ଭୂକମ୍ପ ସମ୍ଭାବନାକୁ ଦୃଷ୍ଟିରେ ରଖି ଏଭଳି ବହୁ ପଦକ୍ଷେପ ନିଆଯାଇଛି । ଗତ ୨୦୦୬ ରେ ଭାରତ ସରକାରଙ୍କ ନ୍ୟାସନାଲ ଡିଜାଷ୍ଟର ମେନେଜମେଣ୍ଟ ଅଥରିଟି ତାଳଚେର ଅଞ୍ଚଳକୁ ଭୂକମ୍ପ ଅଞ୍ଚଳ ଭାବେ ଚିହ୍ନଟ କରିଥିଲେ । ତୁର୍କୀରେ ଭୟଙ୍କର ଭୂମିକମ୍ପ ପରେ ତାଳଚେରବାସୀ ଭୟକୁ ଆହୁରି ଦ୍ବିଗୁଣିତ କରିଛି ସରକାରୀ ତଥ୍ୟ ।

ତେବେ ବ୍ରିଟିଶ ଅମଳରୁ ତାଳଚେର ଅଞ୍ଚଳରେ ୫ଟି ଭୂତଳ କୋଇଲା ଖଣି ଚାଲିଥିଲା । ସେଗୁଡିକ ମଧ୍ୟରେ ନନ୍ଦିରା, ଦେଉଳବେଡା, ଚମ୍ପାପସି, ହାଣ୍ଡିଧୁଆ ଓ ଡେରା ଠାରେ ବର୍ଷ ବର୍ଷ ଧରି ଭୂତଳ କୋଇଲା ଉତ୍ତୋଳନ କରାଯାଉଥିଲା । ଗତ କିଛି ବର୍ଷ ପୂର୍ବେ ୪ଟି ଖଣି ବନ୍ଦ ହୋଇ ଯାଇଛି । କିନ୍ତୁ କେବଳ ନନ୍ଦିରା ଖଣିରୁ କୋଇଲା ଉତ୍ତୋଳନ କରା ଯାଉଛି । ଗତ ୧୯୯୮ରେ ହାଣ୍ଡିଧୁଆ ଏବଂ ୨୦୦୬ ରେ ଦେଉଳବେଡା ଭୂତଳ ଖଣି ବନ୍ଦ କରି ଦିଆଯାଇଛି । ଏହାପରେ ଚମ୍ପପସି ଖଣିକୁ ମଧ୍ୟ ବନ୍ଦ କରା ଯାଇଛି । କିନ୍ତୁ ନିୟମ ଅନୁସାରେ ସେହି ଖଣି ଗୁଡିକ ଭିତରେ ଯେତିକି ବାଲି ଭର୍ତ୍ତି କରାଯିବା କଥା ତାହା କରାଯାଇନାହିଁ ।

ସୂଚନା ଅନୁସାରେ ହାଣ୍ଡିଧୁଆ ଭୂତଳ ଖଣିରେ ୫ ଲକ୍ଷ ୮୫ ହଜାର କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯିବା କଥା। କିନ୍ତୁ ଦୀର୍ଘ ୨୫ବର୍ଷ ପରେ ୪ଲକ୍ଷ ୩୨ ହଜାର ୧୪୫ କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯାଇଛି। ସେହିପରି ୨୦୦୬ ରୁ ଦେଉଳବେଡା ଭୂତଳ ଖଣି ବନ୍ଦ କରାଯାଇଛି । ଆକଳନ ଅନୁସାରେ ୩ଲକ୍ଷ ୩୦ ହଜାର ୪୪୦ କ୍ୟୁବିକ ମିଟର ବାଲି ଭର୍ତ୍ତି କରାଯିବା ପରିବର୍ତ୍ତେ ୧ଲକ୍ଷ ୬ ହଜାର ୧୦୦ କ୍ୟୁବିକ ମିଟର ବାଲି ଭର୍ତ୍ତି ହୋଇଛି । ଅର୍ଥାତ ଅନେକ ଅଞ୍ଚଳ ଖାଲି ପଡ଼ିଛି । ଚମ୍ପପସି ଖଣିରେ ଆଦୌ ବାଲି ଭର୍ତ୍ତି କରାଯାଇ ନ ଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହି ୩ ଟି ଯାକ ଭୂତଳ ଖଣି ଉପରେ ରହିଛି ତାଳଚେର ସହର । ଏହି ସହରରେ ପ୍ରାୟ ୬୦ ହଜାର ଲୋକ ବସବାସ କରୁଛନ୍ତି । ତେଣୁ କିଛି ଅଘଟଣ ଘଟିଲେ ପରିସ୍ଥିତି କଣ ଯେ ହେବ ତାହା ସ୍ପଷ୍ଟ ଅନୁମେୟ ।

ପ୍ରାୟ ୧୯୯୨ ବେଳକୁ ତାଳଚେର ଅଞ୍ଚଳରେ ଲଗାତାର ଭାବେ ଭୂମିକମ୍ପ ହେଉଥିଲା । ଏବେ ୩ ରୁ ୪ବର୍ଷ ହେଲା ସେଭଳି ଦେଖିବାକୁ ମିଳିନାହିଁ । ସେତେବେଳେ ଖଣି ଗୁଡିକରେ ବାଲି ଭର୍ତ୍ତି ପାଇଁ ବ୍ୟାପକ ଆନ୍ଦୋଳନ ହୋଇଥିଲା । ଫଳରେ ସରକାର ଓ ଏମସିଏଲ୍ କର୍ତ୍ତୃପକ୍ଷ ଆଲୋଚନା କରି ଅଳ୍ପ କିଛି ବାଲି ଭର୍ତ୍ତି କଲେ । ଆଜି ୨୫ ବର୍ଷରୁ ଅଧିକ ସମୟ ବିତି ଗଲାଣି । ତଥାପି ବାଲି ଭର୍ତ୍ତି କାମ ଶେଷ ହୋଇ ପାରୁ ନାହିଁ । ସ୍ଥାନୀୟ ଜଣେ ବୁଦ୍ଧିଜୀବୀ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ଯାହାକି ବିଚାରାଧୀନ ରହିଛି । କିଛି ସମାଜସେବୀ ବିଭିନ୍ନ ସମୟରେ ଆନ୍ଦୋଳନ କରି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

ହେଲେ ଖଣିରେ ବାଲି ଭର୍ତ୍ତି ହୋଇ ପାରୁ ନାହିଁ । ସ୍ଥାନୀୟ ଲୋକଙ୍କ କହିବା କଥା ଭୂତଳ ଖଣି ଭିତରେ ଫମ୍ପା ଥିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ ବୋଲି ଏମ୍ସିଏଲର ଅଧିକାରୀମାନେ କହୁଛନ୍ତି । ଭବିଷ୍ୟତରେ କଣ ହେବ ତାହା କେହି କହି ପାରିବେ ନାହିଁ । କିନ୍ତୁ ୬୦ ହଜାରରୁ ଅଧିକ ଲୋକ ଏବେ ଭୟ ଓ ଆତଙ୍କରେ ରହିଛନ୍ତି । ତାଳଚେର ଅଞ୍ଚଳକୁ ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯିବା ଆବଶ୍ୟକ। ଏହାଛଡା ତାଳଚେର କେତେ ସୁରକ୍ଷିତ ଏବଂ ଏଠାକାର ପରିବେଶ ଲୋକଙ୍କ ଜୀବନ ଧାରଣ ପାଇଁ କେତେ ଅନୁକୂଳ ସେନେଇ ସରକାରଙ୍କ ଦ୍ଵାରା ଏକ ପରିବେଶୀୟ ଆକଳନ କରାଯିବା ଆବଶ୍ୟକ ବୋଲି ପରିବେଶବିତ ମାନେ କହିଛନ୍ତି।

ଆଗକୁ ଭୂମିକମ୍ପ ଆଶଙ୍କାରେ ତାଳଚେର ସହରାଞ୍ଚଳକୁ ପ୍ରଶାସନ ତରଫରୁ ନୋକନଷ୍ଟ୍ରକସନ ଜୋନ କରିଛନ୍ତି । ତଥାପି ଖାଲି ପଡିଥିବା ଭୂତଳ ଖଣିରେ ବାଲି ଭର୍ତ୍ତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଫଳରେ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି ତାଳଚେର ବାସିନ୍ଦା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details