ଓଡିଶା

odisha

ବିନା ପମ୍ପରେ ଜଳସେଚନ: ରୋଜଗାର ହେଉଛି ଲକ୍ଷାଧିକ ଟଙ୍କା, ଲାଭବାନ ହେଉଛନ୍ତି ଚାଷୀ

By

Published : Feb 1, 2023, 4:46 PM IST

ବିନା ପମ୍ପରେ ଚାଲିଛି ଜଳସେଚନ । ଫସଲକୁ ମିଳୁଛି ଅନବରତ ପାଣି । ଭଳିକି ଭଳିକ ହେଉଛି ପନିପରିବା । ଅଧିକ ପଢ଼ନ୍ତୁ

Irrigation without pump
ବିନା ପମ୍ପରେ ଜଳସେଚନ

ବିନା ପମ୍ପରେ ଜଳସେଚନ

ଅନୁଗୋଳ: ଚାଷୀଙ୍କ ଅଭିନବ ଉପାୟରେ ଜଳସେଚନ । ବୋହି ଯାଉଥିବା ପାଣିକୁ ଅଟକାଇ ନିଜସ୍ବ ଜ୍ଞାନକୌଶଳରେ ତିଆରି କଲେ ଜଳସେଚନ । ଜଙ୍ଗଲୀ ଝରଣାର ପାଣିକୁ ଅଟକାଇ ପାଇପ ଯୋଗେ ପ୍ରାୟ ୩ରୁ ୪କିମି ଦୂରକୁ ପାଣି ଆଣିଲେ । ଏହାପରେ ଜମିରେ ଜଳସେଚନ କରିପାରିଲେ । ଏଥିପାଇଁ ସେମାନଙ୍କୁ ନା ପାଣି ପମ୍ପ ନା ବିଦ୍ୟୁତର ଆବଶ୍ୟକ ପଡୁଛି । ବର୍ଷ ସାରା ଜମିକୁ ମିଳୁଛି ପାଣି । ଆଉ ସେହି ପାଣିକୁ ବ୍ୟବହାର କରି ଭଳିକି ଭଳି ପନିପରିବା ଚାଷ କରୁଛନ୍ତି ଚାଷୀ । ଆୟ କରିପାରୁଛନ୍ତି ବାର୍ଷିକ ଲକ୍ଷାଧିକ ଟଙ୍କା । ଏଭଳି ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକ ଡିମିରିପାଳ ଗାଁରେ ।

ଗାଁକୁ ଲାଗି ରହିଛି ଦୁର୍ଗମ ଜଙ୍ଗଲ ଘେରା ପାହାଡ଼ । ଏଠିକାର ଅଧିକାଂଶ ଲୋକଙ୍କ ଜୀବିକା କୃଷି । ଆଖୁ, ମକା, ହରଡ଼ ସମେତ ବିଭିନ୍ନ ପନିପରିବା ଚାଷ କରି ଜୀବନ ନିର୍ବାହ କରନ୍ତି । ତେବେ ଅଞ୍ଚଳଟି ପାହାଡିଆ ଅଞ୍ଚଳ ହୋଇଥିବାରୁ ଜଳ ସେଚନ ଏଠାରେ ବଡ଼ ସମସ୍ୟା ଥିଲା। ଜମିକୁ ପାଣି ମିଳୁନଥିବାରୁ ବହୁ ଫସଲ ନଷ୍ଟ ହୋଇଯାଉଥିଲା। ୨ ପଇସା ରୋଜଗାର କରିବା ବି କଷ୍ଟ ଲାଗୁଥିଲା। ତେଣୁ ଗାଁର ଗଣେଶ୍ୱର ନାୟକ ଏବଂ ବିଜୟ ସାହୁଙ୍କ ସମେତ ବହୁ ଚାଷୀ ଏକ ଅଭିନବ ଉପାୟ ଚିନ୍ତା କଲେ । ପାହାଡ଼ ତଳେ ଏକ ଛୋଟ ଝରଣା ବହି ଯାଉଛି। ବର୍ଷ ସାରା ସେହି ଝରଣାରେ ପାଣି ରହୁଛି । ତେଣୁ ସେହି ପାଣିକୁ ଜଳସେଚନରେ ଲଗାଇବାକୁ ଯୋଜନା କଲେ।

ସେଠାରେ କୌଣସି ବିଦ୍ୟୁତ ସଂଯୋଗ ନଥିବାରୁ ପମ୍ପ ଲଗାଇ ଜଳସେଚନ କରିବା ସମ୍ଭବ ନୁହେଁ। ତେଣୁ ସେମାନେ ପ୍ରଥମେ ଝରଣା ପାଣିକୁ ବନ୍ଧ ବାନ୍ଧି ଅଟକାଇଲେ। ସେଠାରୁ ପ୍ରାୟ ୩/୪କିମି ପର୍ଯ୍ୟନ୍ତ ପାଇପ ବିଛାଇଲେ । ରାସ୍ତାରେ ପ୍ରତ୍ୟେକ ଜମିରେ କିଭଳି ପାଣି ମାଡ଼ି ପାରିବ ସେହି ବ୍ୟବସ୍ଥା କଲେ । ଏଥିପାଇଁ କୌଣସି ପାଣି ପମ୍ପ ବ୍ୟବହାର ହୋଇ ନାହିଁ । କିନ୍ତୁ ଏଭଳି ଉପାୟରେ କରାଯାଇଛି ଯେ ପାଇପରେ ତଳମୁଣ୍ଡ ପର୍ଯ୍ୟନ୍ତ ପାଣି ମାଡ଼ି ପାରୁଛି । ଏହାଦ୍ୱାରା ଚାଷୀମାନେ ନିଜ ନିଜ ଜମିରେ ଜଳ ସେଚନ କରିବା ସହ ବିଦ୍ୟୁତ, କିରୋସିନି କିମ୍ବା ଅନ୍ୟ ଇନ୍ଧନ ପାଇଁ ଖର୍ଚ୍ଚ କରିବାକୁ ପଡୁ ନାହିଁ । ଏହି ବ୍ୟବସ୍ଥା ଚାଷୀମାନଙ୍କ ସମ୍ପୂର୍ଣ୍ଣ ନିଜସ୍ୱ ଜ୍ଞାନକୌଶଳରେ କରାଯାଇଛି।

ଏ ସମ୍ପର୍କରେ ଚାଷୀ ବିଜୟ ସାହୁ କହିଛନ୍ତି "ଏହା ମାଧ୍ୟମରେ ଆମେ ଲାଭବାନ ହେଉଛୁ । ବାର୍ଷିକ ଭଲ ଆୟ ବି ହେଉଛି । ୨ ପଇସା ଭଲ ରୋଜଗାର ହେଉଛି । ଆଉ ଏହି ଜଳସେଚନ ପାଇଁ ଆମକୁ କିଛି ଖର୍ଚ୍ଚ କରିବାକୁ ପଡ଼ିନି । ବିଦ୍ୟୁତର ବି କୌଣସି ଆବଶ୍ୟକତା ନାହିଁ । ବର୍ଷ ସାରା ଏହି ଝରଣା ପାଣି ଆମକୁ ଫସଲ କରିବାରେ ଅନେକ ସହାୟତା ଯୋଗାଉଛି ।" ଗତ ପ୍ରାୟ ୧୦ବର୍ଷରୁ ଅଧିକ ସମୟ ହେଲା ଏଭଳି ଚାଲିଛି ଜଳ ସେଚନ । ପ୍ରାୟ ୩୦ଏକରରୁ ଅଧିକ ଜମିରେ କରାଯାଉଛି ଫସଲ ।

ବିଶେଷ କରି ବାଇଗଣ, ଟମାଟୋ, କୋବି, ପୋଟଳ, କଲରା, କାକୁଡି, ଜହ୍ନି, ଭେଣ୍ଡି, ଆଳୁ, ଝୁଡଙ୍ଗ ଆଦି ଅନେକ ପ୍ରକାର ପନିପରିବା ଚାଷ କରାଯାଇ ପାରୁଛି । ଦିନଥିଲା ଏହି ସବୁ ଜମି ପଡିଆ ପଡୁଥିଲା । ଝରଣାର ପାଣି ଅବ୍ୟହୃତ ହୋଇ ବହି ଯାଉଥିଲା । ହେଲେ ଚାଷୀ ମାନଙ୍କ ଉଦ୍ୟମରେ ଏବେ ସେହି ଜମି ବର୍ଷ ତମାମ ସବୁଜିମାରେ ଭରପୁର ରହୁଛି । ଚାଷୀମାନେ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଏଠାକାର ଚାଷୀମାନଙ୍କ ସଫଳତା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀ ଆସୁଛନ୍ତି । କିଛି ଶିଖି ପାରୁଛନ୍ତି । ତେଣୁ ଜଙ୍ଗଲୀ ଝରଣା କିଛି ଚାଷୀଙ୍କ ଜୀବନ ବଦଳାଇ ଦେଇଛି । କୌଣସି କାମରେ ଲାଗୁ ନଥିବା ପାଣିକୁ ଜଳସେଚନରେ ଲଗାଇବା ଏବଂ ସଫଳତା ପାଇବା କିଛି କମ କଥା ନୁହେଁ । ତେଣୁ ଏହି ଚାଷୀମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details