ଅନୁଗୋଳ: ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୋଡ଼ିବା ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି l ବିଧାୟକଙ୍କ ନନ୍ଦିରା କ୍ୟାମ୍ପ କାର୍ଯ୍ୟାଳୟ ଏବଂ ହାଣ୍ଡିଧୁଆ ସ୍ଥିତ ତାଙ୍କର ପୈତୃକ ବାସଭବନ ଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଅନୁଗୋଳ ଏସପି ଜଗମୋହନ ମୀନା, ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟେରିଆ ଏବଂ ସ୍ଥାନୀୟ ଆଇଆଇସି ପହଞ୍ଚି ତଦନ୍ତ କରିଛନ୍ତି l
ତେବେ ବିଧାୟକ ବ୍ରଜ କିଶୋର ପ୍ରଧାନ ବ୍ୟବହାର କରୁଥିବା ଫରଚ୍ୟୁନର ସିଗମା ଗାଡି ନମ୍ବର(OD-33 L- 3711) ପୋଡ଼ି ଘଟଣା, ହାଣ୍ଡିଧୁଆ ବାସଭବନରେ ନିଆଁ ଲଗାଇବାକୁ ଉଦ୍ୟମ ହେଉ ଅବା ଭୁବନେଶ୍ବର ସରକାରୀ କ୍ବାର୍ଟରରେ ଗାଡ଼ିପୋଡ଼ି ଘଟଣା, ଏଗୁଡ଼ିକ ପଛରେ କି ପ୍ରକାର ରହସ୍ୟ ରହିଛି, ତାହା ଉପରୁ ଏଯାଏ ପର୍ଦ୍ଦାଫାଶ ହୋଇପାରିନି l
ଅପରପକ୍ଷେ ଏ ସମସ୍ତ ଘଟଣାରେ ବିଧାୟକ ନିଜର ପ୍ରତିକ୍ରିୟା ଦେଇ ତାଙ୍କର କାହା ସହ ଶତ୍ରୁତା ରହିଥିବାର ସେ ଜାଣିନାହାଁନ୍ତି ବୋଲି କହିଛନ୍ତି l ତେବେ ଯେ କେହିବି ଏଭଳି କାଣ୍ଡ କରୁଛି ସେ ଧରାପଡିବା ଦରକାର ବୋଲି ସେ କହିଛନ୍ତି । ଶନିବାର ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟ ଠାରେ ଉକ୍ତ କାରଟି ରଖାଯାଇଥିଲା । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ଏକ ରୁମରେ ଶୋଇଥିବା ବେଳେ ଦୁର୍ବୃତ୍ତ ଜଣକ ବାହାରୁ କବାଟ ବନ୍ଦ କରି ଦେଇଥିଲେ ।