ଅନୁଗୋଳ: ଗତ ଫେବୃଆରୀ ମାସରେ ତୁର୍କୀରେ ହୋଇଥିବା ଭୟାବହ ଭୂମିକମ୍ପ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ବହୁ ବଡ଼ବଡ଼ ଅଟାଳିକା ମାଟିରେ ମିଶି ଯାଇଥିଲା । ଲକ୍ଷାଧିକ ଲୋକଙ୍କ ଜୀବନ ହାନୀ ହୋଇଥିଲା । ଅନେକ ଦେଶ ସହାୟତାର ହାତ ବଢ଼ାଇ ଥିଲେ । ହେଲେ ଭାରତ ଏକମାତ୍ର ଦେଶ ଯିଏ ପ୍ରଥମେ ଭୂକମ୍ପ ପ୍ରପୀଡ଼ିତଙ୍କ ପାଖକୁ ପହଞ୍ଚିଥିଲା । ଏନେଇ ଭାରତ ପକ୍ଷରୁ 'ଅପରେସନ ଦୋସ୍ତ' ଆରମ୍ଭ ହୋଇଥିଲା । ଏକ ୯୯ ଜଣିଆ ସ୍ୱତନ୍ତ୍ର ମିଲିଟାରୀ ଟିମ ତୁର୍କୀ ଯାଇ ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ସେବା ଯୋଗାଇଥିଲେ । ସେହି ଟିମ୍ରେ ଥିଲେ ଏକମାତ୍ର ଓଡ଼ିଆ ଯବାନ। ଆଉ ସେଇ ଓଡ଼ିଆ ଯବାନ ହେଉଛନ୍ତି ଅନୁଗୋଳ ଜିଲ୍ଲାର ବିବେକାନନ୍ଦ ଦେହୁରୀ । ଏବେ ସେ ଛୁଟିରେ ଆସିଥିବା ବେଳେ ଇଟିଭି ଭାରତ ସହ ସେହି ଭୟଙ୍କର ଅନୁଭୂତିକୁ ବଖାଣିଛନ୍ତି ।
ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତ ଗଡ଼ତଇଳା ଗ୍ରାମର ବିବେକାନନ୍ଦ ଦେହୁରୀ ଥିଲେ ତୁର୍କୀରେ ମୁତୟନ ହୋଇଥିବା ରେସ୍କ୍ୟୁ ଟିମ୍ର ଜଣେ ସଦସ୍ୟ । ବିବେକାନନ୍ଦ ୬୬ପାରା ରେଜିମେଣ୍ଟରେ ଜଣେ ପାରା କମାଣ୍ଡ ଭାବେ ଦୀର୍ଘ ୧୧ବର୍ଷ ହେଲା କାମ କରୁଛନ୍ତି । ହଠାତ ସରକାରଙ୍କ ନିର୍ଦ୍ଦେଶରେ ଏହି ଟିମ୍ ତୁର୍କୀ ଯାଇଥିଲା । ସେଠାରେ ପହଞ୍ଚିବା ପରେ କେତେ ଭୟଙ୍କର ଥିଲା ସେଠାକାର ଦୃଶ୍ୟ ଏବଂ କେମିତି ଭାଙ୍ଗି ଯାଇଥିବା ଘର ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ ସେନେଇ ବିସ୍ତୁତ ଭାବେ କହିଛନ୍ତି ବିବେକାନନ୍ଦ । ଭାରତୀୟ ଉଦ୍ଧାରକାରୀ ଟିମ୍କୁ ତୁର୍କୀର ଜନସାଧାରଣ ଅନେକ ପ୍ରସଂଶା କରିଥିଲେ । ଦୈନିକ ପ୍ରାୟ ୫ଶହରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଉଥିଲା ।