ଅନୁଗୋଳ: ବର୍ଷ ଥିଲା 1942 । ଏହି ସମୟରେ ଗୋରା ସରକାରକୁ ଦେଶରୁ ତଡିବା ପାଇଁ ଜୀବନକୁ ଉତ୍ସର୍ଗୀକୃତ କରିଦେଇଥିଲେ ସ୍ବାଧୀନତା ସଂଗ୍ରାମୀ । ସେହି ସମୟରେ ଗଡଜାତ ଆନ୍ଦୋଳନର ସୁତ୍ରଧର ସାଜିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ନିଜସ୍ବ ଚେଷ୍ଟାରେ ଅନୁଗୋଳରେ ଆରମ୍ଭ ହୋଇଥିଲା ବାଜି ରାଉତ ଛାତ୍ରାବାସ । ଉଦ୍ଦେଶ୍ୟ ଥିଲା ଭାରତ ଛାଡ ଆନ୍ଦୋଳନରେ ବନ୍ଦୀ ହୋଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ସନ୍ତାନକୁ ଶିକ୍ଷାଦାନ । ତେବେ ସେ ସମୟର ଛାତ୍ରାବାସ ବର୍ତ୍ତମାନ ମଣିଷ ଗଢା କାରଖାନାରେ ପରିଣତ ହୋଇଛି । ଏହି ଅନୁଷ୍ଠାନ ଆଜି ବି ସ୍ବାଧୀନତାର ବାର୍ତ୍ତା ବହନ କରେ ।
ତେବେ 1938 ମସିହାରେ ଗଡଜାତ ଆନ୍ଦୋଳନର ସୂତ୍ରପାତ ଏହିଠାରୁ ହିଁ ଆରମ୍ଭ ହୋଇଥିଲା । ନବବାବୁ, ମାଳତି ଦେବୀ, ଗୋପବନ୍ଧୁ ଚୌଧୁରୀ ଓ ଶାରଙ୍ଗ ଧର ଦାସଙ୍କ ଭଳି ସ୍ବାଧିନତା ସଂଗ୍ରାମୀ ଗଡଜାତ ଆନ୍ଦୋଳନର ନେତୃତ୍ବ ନେଉଥିଲେ । ଏପଟେ ସମୟ ବଦଳିଛି କିନ୍ତୁ ନିଜ କର୍ତ୍ତବ୍ୟ ଭୁଲିନି ଏହି ଅନୁଷ୍ଠାନ । ଆଜି ମଧ୍ୟ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ସହ ସୂତା କଟା, ଲୁଗାବୁଣା, ବଢେଇକାମ, କୃଷି, ସଫେଇ ସହ ନୃତ୍ୟ ଓ ସଙ୍ଗୀତ ଆଦି ଶିକ୍ଷା ଦିଆଯାଉଛି ।