ଅନୁଗୋଳ: ଅନୁଗୋଳର ମିନି ଚିଡିଆଖାନା । ହରିଣ ଅଛନ୍ତି ଆଉ ଲୋକେ ବି ଆସୁଛନ୍ତି । ମାତ୍ର ଦୀର୍ଘ 28 ବର୍ଷ ହେବ ନିର୍ମାଣ କରାଯାଇଥିବା ଏହି ମିନି ଚିଡିଆଖାନା କିନ୍ତୁ ବେଆଇନ । ବନ୍ୟଜନ୍ତୁ ସୁରକ୍ଷା, 1972କୁ ଖୁଲମଖୁଲା ଉଲ୍ଲଂଘନ । 58ଟି ହରିଣ ଥିବା ଏହି ଉଦ୍ୟାନରେ ନା ଅଛି ସେମାନଙ୍କ ପାଇଁ ଯଥେଷ୍ଟ ଖାଦ୍ୟ ନା ଅଛି ରହିବା ପାଇଁ ଘର । ଖରା, ବର୍ଷା, ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହୁଛନ୍ତି ହରିଣ । ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ହରିଣ ଉଦ୍ୟାନ ।
1992ରେ ନାଲକୋ ସୌନ୍ଦର୍ଯ୍ୟକରଣ ପାଇଁ 2ଟି ହରିଣରୁ ଆରମ୍ଭ ହୋଇଥିଲା ଏହି ଉଦ୍ୟାନ । ଆଜି ସେଠାରେ ପ୍ରାୟ 58ଟି ହରିଣ ଅଛନ୍ତି । ପ୍ରତିବର୍ଷ ହରିଣଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଅଛି ନା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ । ଡାଳ ପତ୍ର ଖାଇ ମଉଜରେ ରହୁଥିବା ଜଙ୍ଗଲୀ ହରିଣ ଏଠାରେ ଖାଉଛନ୍ତି ଦାନା । ଟାଙ୍ଗରା ଭୂଇଁରେ ପଡି ରହୁଛନ୍ତି ହରିଣ । ପର୍ଯ୍ୟଟକ ଆସି କିଏ ବିସ୍କୁଟ, ଚିପ୍ସ ଧରେଇ ଦିଅନ୍ତି ଓ ପ୍ଲାଷ୍ଟିକ ଜରି ସେଠାରେ ଫୋପାଡି ଦେଇଯାନ୍ତି । ଫଳରେ ସେହି ପ୍ଲାଷ୍ଟିକ ଖାଇ ଅନେକ ସମୟରେ ଅସୁସ୍ଥ ହୋଇପଡନ୍ତି ହରିଣ । ମାତ୍ର ଚିକିତ୍ସା ଅଭାବ କାରଣରୁ ଏଯାବତ୍ 20 ହରିଣଙ୍କ ମୃତ୍ୟୁ ହୋଇସାରିଲାଣି ।