ଓଡିଶା

odisha

ETV Bharat / state

ଦର୍ଶନ ଦେଉଛନ୍ତି ଅଗ୍ନିରୂପା, ଭକ୍ତି ଓ ସାଂସ୍କୃତିକ ପରିବେଶରେ ଉତ୍ସବ ମୁଖର ଗୋପାଳଗଡ଼ - ଉତ୍ସବ ମୁଖର ଗୋପାଳଗଡ଼

୧୯ ତମ ଲୋକ ମହୋତ୍ସବ ପାଇଁ ଚଳଚଞ୍ଚଳ ତାଳଚେରର ଗୋପାଳଗଡ । ଅଗ୍ନିରୂପୀଙ୍କୁ ଦର୍ଶନ ପାଇଁ ଜମୁଛି ଭକ୍ତଙ୍କ ଭିଡ । ଅଧିକ ପଢନ୍ତୁ

ଦର୍ଶନ ଦେଉଛନ୍ତି ଅଗ୍ନିରୂପା
ଦର୍ଶନ ଦେଉଛନ୍ତି ଅଗ୍ନିରୂପା

By

Published : Apr 9, 2023, 10:08 AM IST

Updated : Apr 9, 2023, 10:33 AM IST

ଦର୍ଶନ ଦେଉଛନ୍ତି ଅଗ୍ନିରୂପା

ଅନୁଗୋଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ପୀଠ ଏବେ ଲୋକାରଣ୍ୟ । ଭକ୍ତି ସହ ଏଠି ଯୋଡି ହୋଇଯାଇଛି ସାଂସ୍କୃତିକ ଭାବଧାରା । ଚାଲିଛି ଉନବିଂଶତମ ଲୋକ ମହୋତ୍ସବ । ଜିଲ୍ଲା ତଥା ଜିଲ୍ଲା ବାହାରୁ କଳାକାରମାନେ ଆସି ମାଆଙ୍କର କରୁଣା ଲାଭ କରିବା ସହ ନିଜର କଳା ପରିବେଷଣ କରୁଛନ୍ତି । ଯାହାକୁ ଦେଖିବା ପାଇଁ ବହୁସଂଖ୍ୟକ ଦର୍ଶକଙ୍କ ଭିଡ ଜମୁଛି । ଗୋଟିଏ ପଟେ ଅଗ୍ନିରୂପୀ ମାଆଙ୍କୁ ଦର୍ଶନ ଅନ୍ୟପଟେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହୁଛି଼ ।

ଆଲୋକମାଳାରେ ଝଟକୁଛି ଅଗ୍ନିରୂପା ମାଆ ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର । ଅଗ୍ନି ରୂପେ ପ୍ରକଟିତ ମାଆଙ୍କ ଚାଲିଛି ନବଦିନାତ୍ମକ ପୂଜା ଉତ୍ସବ । କାହିଁ କେତେ ଆଡୁ ଶହ ଶହ ଭକ୍ତ ଛୁଟି ଆସୁଛନ୍ତି ମାଆଙ୍କର ଏହି ରୂପର ଦର୍ଶନ ପାଇଁ । ନିଜେ ନିଜର ନୈବେଦ୍ୟ ମାଆଙ୍କୁ ଅର୍ପଣ କରୁଛନ୍ତି । ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରାର ପ୍ରତ୍ୟେକ ଦିନ ମାଆଙ୍କୁ ବିଧି ପୂର୍ବକ ଉଭସ୍ଥଳୀରେ ପୂଜାର୍ଚ୍ଚନା କରାଯାଉଛି । ଯାହା ପାଇଁ ଦର୍ଶନାର୍ଥୀଙ୍କ ଭିଡ ଲାଗି ରହୁଛି । ଏଥର ମାଆଙ୍କ ମନ୍ଦିରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜା ଯାଇଥିବାରୁ ଏହା ସମସ୍ତଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ । ଭକ୍ତିମୟ ପରିବେଶରେ ଫାଟି ପଡୁଛି ମାଆଙ୍କ ପୀଠ ଗୋପାଳଗଡ ।

ଗୋଟିଏ ପଟେ ଭକ୍ତିମୟ ପରିବେଶ ଆଉ ଅନ୍ୟପଟେ ଆୟୋଜିତ ହେଉଥିବା ଲୋକ ମହୋତ୍ସବ ସମସ୍ତଙ୍କୁ ଟାଣି ନେଉଛି ମାଆଙ୍କ ପୀଠକୁ । ଚଳିତ ଥର ଆୟୋଜିତ ହୋଇଛି ୧୯ତମ ଲୋକ ମହୋତ୍ସବ । ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ ସଭିଙ୍କ ମନ ଜିଣୁଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ସାଂସ୍କୃତିକ ଦଳମାନଙ୍କର ଭଳିକି ଭଳି ନୃତ୍ୟ ପରିବେଷଣ ଯାତ୍ରା ଦେଖିବାକୁ ଆସିଥିବା ଦର୍ଶକଙ୍କ ମନକୁ ଛୁଇଁଛି । ଗତ 4 ତାରିଖରୁ ଆରମ୍ଭ ହୋଇଥିବା ଏହି ଲୋକ ମହୋତ୍ସବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସେପଟେ ପ୍ରଶାସନ ମଧ୍ୟ ପୂଜା ଓ ମହୋତ୍ସବ ପାଇଁ ସମସ୍ତ ବନ୍ଦୋବସ୍ତ କରିଛି । ବିଷ୍ଣୁଦମନକ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଛି ମାଆଙ୍କ ଏହି ଉଭାଯାତ୍ରା । ଆସନ୍ତା ୧୨ ତାରିଖ ମାଆଙ୍କର ଶିତୁଳା ଯାତ୍ରା ଅନୁଷ୍ଠିତ ହେବ । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠା ଲାଗିରହିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Apr 9, 2023, 10:33 AM IST

ABOUT THE AUTHOR

...view details