ଅନୁଗୋଳ:ତତଲା କଡେଇରେ ସିଝୁଛି ସାରା ଅନୁଗୋଳ । ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାପମାତ୍ରା । ଦୀର୍ଘ ଦିନ ହେଲା ଟୋପାଏ ବର୍ଷା ନହେବା କାରଣରୁ ଏହାର ପ୍ରଭାବ ମଣିଷ କାହିଁକି ବନ୍ୟଜନ୍ତୁ ଉପରେ ମଧ୍ୟ ପଡୁଛି । ଜିଲ୍ଲାର ସବୁ ଜଙ୍ଗଲରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଯିବା ଫଳରେ ବନ୍ୟଜନ୍ତୁ ଡ଼ହଳବିକଳ ହେଉଛନ୍ତି । ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ।
ଅନୁଗୋଳରେ ତାପମାତ୍ରା ୪୪ଡିଗ୍ରୀ ଉପରେ ରହୁଥିବା କାରଣରୁ ଅସ୍ତବ୍ୟସ୍ତ ହୋଇ ଯାଇଛି ସାଧାରଣ ଜୀବନ । ଜିଲ୍ଲାରେ ଥିବା ଅନୁଗୋଳ ବନଖଣ୍ଡ ଓ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ସମେତ ସମସ୍ତ ଜଙ୍ଗଲରେ ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଗଲାଣି । ଏଭଳି ସ୍ଥିତିରେ ବନ୍ୟଜନ୍ତୁଙ୍କ ଅବସ୍ଥା ସାଙ୍ଘାତିକ ହୋଇ ପଡିଛି । ତୃଣଭୋଜି ପ୍ରାଣୀ ମାନଙ୍କ ପାଇଁ ଜଙ୍ଗଲରେ ଖାଦ୍ୟ ସମସ୍ୟା ସାଙ୍ଗକୁ ପାଣି ଅଭାବ ସେମାନଙ୍କ ଜୀବନ ପ୍ରତି ବିପନ୍ନ ଦେଖାଦେଇଛି । ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ତାପମାତ୍ରା ଆହୁରି ବୃଦ୍ଧି ପାଇଛି । ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ସେମାନେ ଇତସ୍ତତଃ ହୋଇ ପଡିଛନ୍ତି । ଖାଦ୍ୟ ଓ ପାଣି ଖୋଜିବାକୁ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହୋଇପଡିଛନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି।