ଅନୁଗୋଳ: ସରକାର ଆମ କଥା କିଛି ଶୁଣିଲେନି। ପାଖାପାଖି ୧୦୦ ବର୍ଷ ଧରି ରହିଲେ ବି ଆମକୁ ମିଳିନି ଜମିର ଅଧିକାର। ସରକାରୀ ଅଧିକାରୀଙ୍କ ଠାରୁ ରାଜନେତା କେହିବି ଆମ କଥା ଶୁଣିନାହାଁନ୍ତି। ତେଣୁ ଆମେ ଆଉ ଭୋଟ କାହିଁକି ଦେବୁ। ଏଭଳି କହି ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ଗାଁ ହରିଜନ ସାହିର ଲୋକେ।
ଏହି ଗାଁରେ ଝାଟି ମାଟିର ଘର କରି ରହୁଛନ୍ତି ପ୍ରାୟ ୧୫୦ ରୁ ଅଧିକ ହରିଜନ ପରିବାର। ଅନ୍ୟ ପାଖରେ ମୂଲ ମଜୁରୀ କରି ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ। କେହି କେହି ଟ୍ରଲି ଟାଣି ନିଜର ପେଟ ପୋଷନ୍ତି । ହେଲେ ଏମାନେ ରହୁଥିବା ଜମିରେ ନାହିଁ ଏମାନଙ୍କର ଅଧିକାର। କାରଣ ଏ ଜମି ହେଉଛି ସରକାରୀ ଜମି। ଦୀର୍ଘ ଦିନରୁ ଏହି ଜମିରେ ଏମାନେ ରହୁଥିଲେ ମଧ୍ୟ ଜମିର ପଟା ଖଣ୍ଡେ ମିଳିନି। ବାରମ୍ବାର ସବୁ ସରକାରୀ ଅଫିସ ଠାରୁ ଆରମ୍ଭ କରି ରାଜନେତାଙ୍କ ପାଖକୁ ଗଲେ ବି କେହି ସେମାନଙ୍କ କଥା ଶୁଣିନାହାନ୍ତି। ସବୁଠାରୁ ବଡ କଥା ହେଉଛି ଏମାନଙ୍କୁ ବ୍ଲକ କର୍ତ୍ତୃପକ୍ଷ ସ୍ଵଚ୍ଛ ଭାରତ ଯୋଜନାରେ ପାଇଖାନା ଯୋଗାଇ ଦେଇଛନ୍ତି। ଲୋକଙ୍କ ଅଭିଯୋଗ ଶୌଚ ପାଇଁ ଘର ଅଛି ହେଲେ ରହିବା ପାଇଁ ଭୂମି ନାହଁ। ତେଣୁ ଏହି ବ୍ୟବସ୍ଥାରେ ରହୁଥିବା ଏହି ହରିଜନ ଲୋକେ ଏଥର ଆଉ କାହାରୀକୁ ଭୋଟ ଦେବେ ନାହିଁ ବୋଲି ସ୍ଥିର କରିଛନ୍ତି।