ଅନୁଗୋଳ: କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟରେ ତାଲା ପକାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ନେଇ ସରକାର ଶୁଣାଇ ସାରିଛନ୍ତି ରୋକଠୋକ ନିଷ୍ପତ୍ତି । ହେଲେ ବାସ୍ତବରେ ଏହା କେତେ ସୁରକ୍ଷିତ ? ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ତାଳଚେର ବ୍ଲକ ସଇଁନାଲିସ୍ଥିତ ଅନେକ ଅଭିଭାବକ । ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି 2 କିଲୋମିଟର ଦୂର ବିଦ୍ୟାଳୟରେ ମିଶ୍ରଣକୁ ବିରୋଧ କରିବା ସହ ନିଜ ପିଲାମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମସ୍ତ ଅଭିଭାବକ ।
ସୂଚନା ଅନୁଯାୟୀ 15ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିୟମ କରିଛନ୍ତି ସରକାର । ଯେଉଁ ନିୟମ ଆଧାରରେ ସଇଁନାଲିଠାରେ ଥିବା ପ୍ରାଥମିକ ବିଦ୍ୟଳୟକୁ ବନ୍ଦ କରି 2କିଲୋମିଟର ଦୂରରେ ଥିବା ଏକ ବିଦ୍ୟାଳୟରେ ମିଶାଇବାକୁ ପ୍ରସ୍ତାବ ଦେଇଛନ୍ତି ବିଦ୍ୟାଳୟ କର୍ତ୍ତୁପକ୍ଷ । ହେଲେ ବିଦ୍ୟାଳୟରେ 15 ଛାତ୍ରଛାତ୍ରୀ ଥିବା ସତ୍ତ୍ବେ ଏପରି ନିଷ୍ପତ୍ତି କାହିଁକି ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ । ତେଣେ ଦିନକୁ ଦିନ ବଢୁଥିବା ସଡକ ଦୁର୍ଘଟଣା ଓ ଅପରାଧକୁ ନେଇ ପିଲାଙ୍କ ପାଇଁ ଚିନ୍ତିତ ଅଭିଭାବକ ।