ଓଡିଶା

odisha

ରାଜ୍ୟପାଳ ରଘୁବର ଦାସଙ୍କ ଅନୁଗୋଳ ଗସ୍ତ, ଶୁଣିଲେ ଲୋକଙ୍କ ସମସ୍ୟା

By ETV Bharat Odisha Team

Published : Dec 6, 2023, 10:46 PM IST

ରାଜ୍ୟପାଳ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଲୋକମାନଙ୍କ ସମସ୍ୟାକୁ ନୋଇ ସିଧାସଳଖ ଆଲୋଚନା କରିଛନ୍ତି ।

ରଘୁବର ଦାସଙ୍କ ଅନୁଗୋଳ ଗସ୍ତ
ରଘୁବର ଦାସଙ୍କ ଅନୁଗୋଳ ଗସ୍ତ

ରଘୁବର ଦାସଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ: ରାଜ୍ୟପାଳ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୋଳ ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ନାଲ୍‌କୋ ଗେଷ୍ଟ ହାଉସ ଠାରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ରାଜ୍ୟପାଳ ଅନୁଗୋଳ ଜିଲ୍ଲାର ତୁରଙ୍ଗ ଗ୍ରାମରଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ସହ ଭାବ ବିନିମୟ କରିବା ସହିତ କର୍ମଚାରୀମାନଙ୍କୁ ଆନ୍ତରିକତା ସହ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପରାମର୍ଶ ଦେଇଥିଲେ । ପରେ ଆୟୋଜିତ ଏକ ସଭାରେ ରାଜ୍ୟପାଳ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା ସମୟରେ ସେମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ଅନୁଗୋଳ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏବଂ ଦିଗଦର୍ଶନ ମହିଳା ଶସକ୍ତିକରଣରେ ବଡ଼ ପରିବର୍ତ୍ତନ ଆଣିଛି । ବିକଶିତ ତଥା ଆତ୍ମନିର୍ଭର ଭାରତ ଅଭିଯାନରେ ମହିଳାମାନଙ୍କ ଅବଦାନ ଏବଂ ଭୂମିକା ଅତୁଳନୀୟ ବୋଲି ରାଜ୍ୟପାଳ କହିଥିଲେ । ଗ୍ରାମବାସୀଙ୍କ ଦ୍ବାରା ଉଠାଯାଇଥିବା ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ପରେ ଅନୁଗୋଳର ବାଜି ରାଉତ ଛାତ୍ରାବାସ ପରିଦର୍ଶନ କରି ଛାତ୍ରାବାସର ପ୍ରତିଷ୍ଠିତା ତଥା ସ୍ବାଧୀନତା ସଂଗ୍ରାମୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ତେବାସୀଙ୍କୁ ବଡ ସ୍ବପ୍ନ ଦେଖି ଏହାକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେବା ସହିତ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସୂଚାଇ ଦେଇଥିଲେ ।

ଏହି ଅବସରରେ ଛାତ୍ରାବାସକୁ ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି ରାଜ୍ୟପାଳ । ଅନୁଗୋଳର ଶିକ୍ଷକପଡା ଠାରେ ଥିବା ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଜନସାଧାରଣ କିଭଳି ଏହାର ଲାଭପାଉଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ରାଜ୍ୟପାଳ ସ୍ମାର୍ଟ ପାର୍କ ପରିଦର୍ଶନରେ ଯାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘର ପରିଦର୍ଶନ କରିବା ସହିତ ସେମାନଙ୍କ ସହ ବାର୍ତ୍ତାଳାପ ମଧ୍ୟ କରିଥିଲେ । ଏହାପରେ ଅନୁଗୋଳ ସ୍ଥିତ ଉନ୍ନତ ଥଇଥାନ କେନ୍ଦ୍ର (ଏଆରସି )କୁ ପରିଦର୍ଶନ କରିଥିଲେ । ପରେ ପରେ ତାଳଚେର ଅନ୍ତର୍ଗତ କନ୍ଧବେରେଣୀ ଗ୍ରାମର ଗ୍ରାମବାସୀ ଓ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରି ଗ୍ରାମବାସୀଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ତେବେ ଜିଲ୍ଲା ପ୍ରଶାସନକୁ ଏହାର ତୁରନ୍ତ ସମାଧାନ ପାଇଁ ଏହାର ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.....କପିଳାଶ ପୀଠରେ ରାଜ୍ୟପାଳ ରଘୁବର ଦାସ

ତେବେ ଏହାପରେ କନ୍ଧବେରେଣୀ ସ୍ଥିତ ଆଶ୍ରମ ସ୍କୁଲ ପରିଦର୍ଶନ କରି ସେଠାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ଅଗ୍ରାଧିକାର ଦେଇ ଜୀବନରେ ଲକ୍ଷ୍ୟ ହାସଲ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଗସ୍ତର ଶେଷ ପର୍ଯ୍ୟାୟରେ ଗୋପାଳପ୍ରସାଦ ସ୍ଥିତ ମା' ହିଙ୍ଗୁଳା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଆରକ୍ଷୀ ଅଧ୍ୟକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅନୁଗୋଳ ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟଙ୍କ ସମେତ ଜିଲ୍ଲା ସ୍ତରୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details