ଓଡିଶା

odisha

ETV Bharat / state

ରାତିରେ ଥିଲା ସକାଳେ ନାହିଁ, ପାର୍କରୁ ଗାଏବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି - ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନ

ଗୋପବନ୍ଧୁ ପାର୍କରୁ ଗାଏବ ହେଲା ୧୦ ଜଣ ସ୍ବାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ରାତିରେ ଥିଲା ସକାଳେ ନାହିଁ । ଏହି ଘଟଣାକୁ ନେଇ ପ୍ରଶାସନ ଚୁପ ବସିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବୁଦ୍ଧିଜୀବୀ । ଦେଖନ୍ତୁ ଏହି ରିପୋର୍ଟ

statue controversy in angul
statue controversy in angul

By

Published : May 17, 2023, 2:10 PM IST

ପାର୍କରୁ ଗାଏବ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି

ଅନୁଗୋଳ:ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିକୁ ନେଇ ଅନୁଗୋଳରେ ଏବେ ପୁଣି ବିବାଦ ଦେଖା ଦେଇଛି । ବୀର ସନ୍ତାନଙ୍କୁ ଅସମ୍ମାନ ପରେ ଅନୁଗୋଳ ପୌରପାଳିକାର ଅନ୍ଧାର କାରସାଦି ସାମ୍ନାକୁ ଆସିଛି । ସହରର ଗୋବନ୍ଧୁ ପାର୍କରେ ଥିବା ୧୦ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗାଏବ ହୋଇଛି । ଏନେଇ ପ୍ରଶାସନ ଏବଂ ପୌରପରିଷଦ କର୍ତ୍ତୃପକ୍ଷ ମୁହଁ ଖୋଲୁ ନଥିବା ବେଳେ ପୌରାଧ୍ୟକ୍ଷ କିଛି ଜାଣିନଥିବା କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆଇନଜୀବୀ ।

କଣ ଘଟିଛି ଘଟଣା:ଗତ ଉତ୍କଳ ଦିବସରେ ଗୋପବନ୍ଧୁ ପାର୍କରେ ଅନୁଗୋଳ ପୌରପାଳିକା ୧୧ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ, ହୃଷୀକେଶ ପ୍ରଧାନ, ହୃଷୀକେଶ ତ୍ରିପାଠୀ, ଦିବାକର ପ୍ରଧାନ, କୃତ୍ତିବାସ ରଥ, ବ୍ରଜସୁନ୍ଦର ଦାସଙ୍କ ସମେତ ୧୧ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ପାର୍କରେ ସ୍ଥାପିତ ହୋଇଥିଲା । ପରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିଧାନକୁ ନେଇ ବିବାଦ ହେବାରୁ ନବ ବାବୁଙ୍କ ପ୍ରତିମୂର୍ତ୍ତି ହଟାଇ ଦିଆ ଯାଇଥିବା ବେଳେ ବାକି ଅନ୍ୟ ମୂର୍ତ୍ତି ସବୁକୁ କଳା ଜରି ଘୋଡାଇ ରଖାଯାଇଥିଲା ।

ବାରମ୍ବାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ହେବାପରେ ରାଜ୍ୟ ସଂସ୍କୃତି ବିଭାଗ ସଚିବଙ୍କ ନେତୃତ୍ୱରେ ଏକ ଟିମ ଆସି ଯାଞ୍ଚ କରିଥିଲା । କୌଣସି ନୀତି ନିୟମକୁ ନମାନି ପୌର କର୍ତ୍ତୃପକ୍ଷ ଏମିତି ଭୁଲ ପ୍ରତିମୂର୍ତ୍ତି ସ୍ଥାପନ କରିଥିବାରୁ ସଂସ୍କୃତି ସଚିବ ଖୁବ୍ଧ ହେବାସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ । ଏହାଛଡା ସଂସ୍କୃତି ବିଭାଗର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଠିକ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଥିଲେ । ହେଲେ ଏବେ ପୁଣି ପୌର ପ୍ରଶାସନ ପ୍ରତିମୂର୍ତ୍ତିଗୁଡିକୁ ରାତି ଅଧିଆ ଗାଏବ କରିଥିବା ଘଟଣା ସବୁଠି ଚର୍ଚ୍ଚା ଧରିଛି । ପାର୍କରେ ପିଣ୍ଡି ଥିବା ବେଳେ ମୂର୍ତ୍ତି ସବୁ ଏବେ ଗାଏବ । ଏହାକୁ ନେଇ ପୁଣି ଅନୁଗୋଳରେ ମୁଣ୍ଡ ଟେକିଛି ବିବାଦ ।

ଏନେଇ ବୁଦ୍ଧିଜୀବୀ କହିଛନ୍ତି, "ଗୋପବନ୍ଧୁ ପାର୍କରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କୌଣସି କମିଟି ଗଠନ ହୋଇ ନଥିଲା। ପୌର ପରିଷଦରେ କାଉନସିଲ ବୈଠକ କରାନଯାଇ କର୍ତ୍ତୃପକ୍ଷ ମନଇଚ୍ଛା ଏଭଳି କରିଥିଲେ । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ମୂର୍ତ୍ତିଗୁଡିକ ଗାଏବ ହୋଇ ଯାଇଛି । ତେଣୁ ସେ ଟଙ୍କା କିଏ ଭରଣା କରିବ ?" ତେବେ ପ୍ରତିମୂର୍ତ୍ତି ଗୁଡିକ ପ୍ରକୃତରେ କିଏ ଓ କାହିଁକି ସେଠାରୁ ନେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି । ପୌର ଅଧ୍ୟକ୍ଷଙ୍କ ମନ୍ତବ୍ୟ ଏହାକୁ ଆହୁରି ଦ୍ବିଗୁଣିତ କରୁଛି । ଏନେଇ ଜିଲ୍ଲାପାଳ ନୀରବ ରହୁଥିବା ବେଳେ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।

ଘଟଣାକୁ ନେଇ ଏମିତି କହିଲେ ପୌରାଧ୍ୟକ୍ଷ:ପୌରାଧ୍ୟକ୍ଷ ରୋକ ଠୋକ କହିଛନ୍ତି, "ପ୍ରତିମୂର୍ତ୍ତି ପାର୍କରେ କିଏ ସ୍ଥାପନ କରିଥିଲା ସେକଥା ମୁଁ ଜାଣିନାହିଁ । ଏବେ ସେଠାରୁ ପ୍ରତିମୂର୍ତ୍ତି କିଏ ଗାଏବ କଲା ତାହା ମଧ୍ୟ ମୋତେ ଅଜଣା । ଏହା ଏକ ଦୁର୍ଭାଗ୍ୟର କଥା ।"

ଅନ୍ୟପକ୍ଷରେ ଅନୁଗୋଳ ଜନସାଧାରଣ ତଥା ବୁଦ୍ଧିଜୀବୀ ଦାବି କରୁଛନ୍ତି, "ପ୍ରତିମୂର୍ତ୍ତିଗୁଡିକ ସମ୍ପର୍କରେ ତୁରନ୍ତ ଅନୁଗୋଳ ଜନସାଧାରଣଙ୍କୁ ଜଣାଇ ଦିଆଯାଉ। ଯଦି ଚୋରି ହୋଇଛି ତେବେ ପୋଲିସରେ ଅଭିଯୋଗ କରାଯାଉ। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରି ଯେଉଁମାନେ ଏହି ଘଟଣାରେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details