ପୂର୍ବତନ ବିଧାୟକ ସନ୍ତୋଷ ପ୍ରଧାନଙ୍କ ଦେହାନ୍ତ ଅନୁଗୋଳ: ପରଲୋକରେ ଅନୁଗୋଳର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନ । ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ଅବସ୍ଥାରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସନ୍ତୋଷ କୁମାର ପ୍ରଧାନଙ୍କ ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବହୁ ବରିଷ୍ଠ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି । କିଛିଦିନ ପୂର୍ବେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ବିଧାୟକଙ୍କ ଅନୁଗୋଳ ସ୍ଥିତ ବାସ ଭବନକୁ ଯାଇ ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି ଯେ, ଅନୁଗୋଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଲୋକଙ୍କ ସେବା ଓ କଲ୍ଯାଣ ପାଇଁ ତାଙ୍କର କାର୍ଯ୍ୟଗୁଡିକ ସର୍ବଦା ସ୍ମରଣୀୟ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ସ୍ବର୍ଗତ ପ୍ରଧାନ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ି ୧୯୮୦ ମସିହାରୁ ୮୫ ପର୍ୟ୍ଯନ୍ତ ଅନୁଗୋଳର ବିଧାୟକ ରହିଥିଲେ । କୃଷି ନିମନ୍ତେ ଜଳସେଚନ ବ୍ୟବସ୍ଥାରେ ପ୍ରଭୂତ ଉନ୍ନତି ତଥା ରାଜ୍ଯର ଦୁର୍ଗମ ଅଞ୍ଚଳରେ ଗମନାଗମନକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ମୋରମ ରାସ୍ତା ନିର୍ମାଣ ପାଇଁ ଅନୁଗୋଳ ନିର୍ବାଚନ ମଣ୍ଡଳୀର ଜନସାଧାରଣ ତାଙ୍କୁ ସବୁଦିନ ମନେ ରଖିବେ ।
ଏହା ମଧ୍ୟ ପଢନ୍ତୁ-Maheswar Mohanty Demise: ବିଧାନସଭାରେ ପୂର୍ବତନ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର
ପ୍ରଥମେ ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ସନ୍ତୋଷ କୁମାର ପ୍ରଧାନ । ୧୯୬୭ ମସିହାରୁ ୧୯୭୫ ପର୍ଯ୍ୟନ୍ତ ତୁବେ ଗ୍ରାମ ପଞ୍ଚାୟତର ସେ ସରପଞ୍ଚ ରହିଥିଲେ । ଏହାପରେ ୧୯୭୫ରୁ ୧୯୭୭ ପର୍ଯ୍ୟନ୍ତ ବନରପାଳ ବ୍ଲକ ଚେୟାରମାନ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ l ପରବର୍ତ୍ତୀ ସମୟରେ ବିଧାନସଭା ନିର୍ବାଚନ ଲଢ଼ି ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ଅନୁଗୋଳର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ବିଧାନସଭାରେ ସଫଳତାର ସହ ପ୍ରତିନିଧିତ୍ଵ କରିଥିଲେ l ୧୯୯୫ ମସିହାରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ କରିବା ସହ କଂଗ୍ରେସ ଦଳର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରି ଜନସାଧାରଣଙ୍କ ସେବା କରିଥିଲେ l
କ୍ରୀଡ଼ା ପ୍ରତି ତାଙ୍କର ବିଶେଷ ଆଗ୍ରହ ରହିଥିଲା । ଫୁଟବଲ ଏବଂ ହକି କ୍ରୀଡାରେ ସେ ରୁଚି ରଖୁଥିଲେ l ଅନୁଗୋଳ ନିର୍ବାଚନ ମଣ୍ଡଳୀରରେ ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ ଏବଂ ପରିଚାଳନା କ୍ଷେତ୍ରରେ ନିଜେ ସକ୍ରିୟ ଭାବେ ସାମିଲ ଥିଲେ l ତାଙ୍କର ବିୟୋଗ ଖବର ପାଇ ଅନୁଗୋଳର ତଥା ରାଜ୍ଯର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି l ତାଙ୍କର ଦେହାନ୍ତ ଅନୁଗୋଳ ପାଇଁ ଓ କୃଷକ ସମାଜ ପାଇଁ ଅପୁରଣୀୟ କ୍ଷତି । ଅନୁଗୁଳ ବାସୀ ସବୁଦିନ ପୂର୍ବତନ ବିଧାୟକଙ୍କ କାର୍ଯ୍ୟକୁ ମନେ ରଖିବେ ବୋଲି ବିଜେପି ଜିଲ୍ଲା ସଭାପତି ଡିଲେଶ୍ବର ପ୍ରଧାନ, ସାଂସଦ ରୁଦ୍ର ନାରାୟଣ ପାଣି, ଏନ୍ଏସ୍ଆଇସି ନିର୍ଦ୍ଦେଶକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଗତକାଲି ସ୍ୱର୍ଗତ ସନ୍ତୋଷ କୁମାର ପ୍ରଧାନଙ୍କ ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ ବିଧାୟକ ରଜନୀକାନ୍ତ ସିଂ,ବରିଷ୍ଠ ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା ସମେତ ବହୁ ନେତା ତଥା କର୍ମୀ ।
ଇଟିଭି ଭାରତ, ଅନୁଗୋଳ