ଅନୁଗୋଳ:ଆଗକୁ ଆସୁଛି ବନ ମହୋତ୍ସବ। ଚାରା ପ୍ରସ୍ତୁତିରେ ଲାଗି ପଡିଛନ୍ତି ବନ କର୍ମଚାରୀ। ଅନୁଗୋଳ ବନଖଣ୍ଡ ପୁରୁଣାଗଡ ଠାରେ ଥିବା ମେଗା ନର୍ସରୀରେ ପ୍ରାୟ ଅଢେଇ ଲକ୍ଷରୁ ଅଧିକ ବିଭିନ୍ନ ପ୍ରକାର ଚାରା ଏବେ ରୋପଣ ଅପେକ୍ଷାରେ। ବନ ବିଭାଗର ଆନ୍ତରିକ ଉଦ୍ୟମ ଏବଂ ଶତାଧିକ ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଉ ମାତ୍ର କିଛି ଦିନ ପରେ ଚାରା ଗୁଡିକ ବିଭିନ୍ନ ରାସ୍ତାକଡ଼, ଜଙ୍ଗଲ, ସ୍କୁଲ ଓ କଲେଜ ପରିସର ଏବଂ ଖାଲି ପଡ଼ିଆରେ ଶୋଭା ପାଇବେ।
ରାଜ୍ୟର ଶିଳ୍ପ ରାଜଧାନୀ ଅନୁଗୋଳ । ଅନୁଗୋଳକୁ ସବୁଜିମା କରିବା ପାଇଁ ପ୍ରସ୍ତୁତିରେ ବନ ବିଭାଗ । ବର୍ଷା ଋତୁ ଆରମ୍ଭ ହୋଇ ଥିବାରୁ ଆସନ୍ତା ମାସରେ ହେବାକୁ ଥିବା ବନ ମହୋତ୍ସବରେ ବ୍ୟାପକ ବୃକ୍ଷ ରୋପଣ ପାଇଁ ଲକ୍ଷ ରଖିଛି ବିଭାଗ । ଯାହା ପାଇଁ ଆବଶ୍ୟକ ଲକ୍ଷାଧିକ ଚାରା ସବୁକୁ ପ୍ରସ୍ତୁତ କରିଛି ବିଭାଗ । ଜିଲ୍ଲାରେ ଥିବା ବନ ବିଭାଗର ଏକମାତ୍ର ମେଗା ନର୍ସରୀରେ ଭଳିକି ଭଳି ଅଢେଇ ଲକ୍ଷରୁ ଅଧିକ ଚାରା ରୋପଣ ପାଇଁ ପ୍ରସ୍ତୁତ ରହିଛନ୍ତି। ଏହି ନର୍ସରୀରୁ ହିଁ ଅଧୁକାଂଶ ଚାରା ବିଭିନ୍ନ ସ୍ଥାନକୁ ରୋପଣ ପାଇଁ ଯାଇଥାଏ। ପ୍ରତିବର୍ଷ ଚାରାର ଆବଶ୍ୟକତା ବଢି ବଢି ଯାଉଛି। ତେଣୁ ଚଳିତ ବର୍ଷ ବନ ବିଭାଗ ତରଫରୁ ୧୪ ଏକର ବିଶିଷ୍ଟ ଜାଗାରେ ଶାଗୁଆନ, ଶାଳ, ପିଆଶାଳ, କରଞ୍ଜ, ଲିମ୍ବ, ଗମ୍ଭାରୀ, ଆମ୍ବ ସମେତ ଶହ ଶହ ପ୍ରଜାତିର ମୂଲ୍ୟବାନ, ଔଷଧୀୟ ଏବଂ ଫଳ ଗଛର ଚାରା ପ୍ରସ୍ତୁତ କରାଯାଇଛି।