ଅନୁଗୋଳ: ପେନ୍ଥା ପେନ୍ଥା ହୋଇ ଝୁଲିଛି ନାଲିଆ ସବୁଜ କୋଳି । ଅନୁଗୋଳ ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି । ଏହି କୋଳି ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେମିତି ସୁସ୍ୱାଦୁ । ଆମ ରାଜ୍ୟର ଜଳବାୟୁରେ ସବୁ କିଛି ସମ୍ଭବ ବୋଲି ପ୍ରମାଣିତ କରି ପାରିଛନ୍ତି ଅନୁଗୋଳ ବନ୍ଦାଣପଶି ଗାଁର କିଛି ଚାଷୀ । ଏହି କୋଳିର ଚାହିଦା ଅଧିକ ଥିବାରୁ ବୋଶ ଲାଭବାନ ହେଉଛନ୍ତି ଚାଷୀ । ନିଜସ୍ୱ ଉଦ୍ୟମରେ ଏଭଳି ଏକ ଲାଭ ଦାୟକ ଫସଲ କରି ଅନ୍ୟ ଚାଷୀ ମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି ଏହି ଚାଷୀ ।
୧୦୦ଟି ଗଛରୁ ୨୦ କୁଇଣ୍ଟାଲ ଅମଳ-
ଅନୁଗୋଳ ଜିଲ୍ଲାର ବନ୍ଦାଣପଶି ଗାଁରେ ଦେଖିବାକୁ ମିଳୁଛି ଏଭଳି ମନଲୋଭା ଦୃଶ୍ୟ । ବଗିଚାରେ ଝୁଲୁଛି ପେନ୍ଥା ପେନ୍ଥା ବରକୋଳି । ବନ୍ଦାଣପଶି ଗାଁର ପ୍ରଶାନ୍ତ କୁମାର ସାହୁ ନାମକ ଜଣେ ଚାଷୀ ପ୍ରଥମେ ଏହି କୋଳି ସମ୍ପର୍କରେ ଇଣ୍ଟରନେଟରୁ ଜାଣିଥିଲେ । ଏହାପରେ କଲିକତାର ଏକ ନର୍ସରି ସହ ଯୋଗାଯୋଗ କରି ଚାରା ମଗାଇ ଥିଲେ । ତେବେ ଗତ ବର୍ଷ ମାତ୍ର ୧୦୦ଟି ଗଛ ଲଗାଇ ୨୦ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରିଥିଲେ ପ୍ରଶାନ୍ତ । ଏହି ଚାରା ଥରେ ଲଗାଇଲେ ପ୍ରାୟ ୭ରୁ ୮ବର୍ଷ ପର୍ଯ୍ୟନ୍ତ ରହିଥାଏ । ତେଣୁ ଏବର୍ଷ ମଧ୍ୟ ଆଉ ଗଛ ଆଣିବା ସହ ଗତ ବର୍ଷର ଗଛ ଗୁଡ଼ିକର ଡାଳ ଗୁଡିକ କାଟି ଲଗାଯାଇଛି । ଏହି ଚାଷ ପାଇଁ ପାଣି କିମ୍ବା ବିଶେଷ ସାର ଔଷଧର ଆବଶ୍ୟକତା ପଡିନଥାଏ । ଗୋଟିଏ ଗଛରେ ୪୦ ରୁ ୫୦ କେଜି ପର୍ଯ୍ୟନ୍ତ ଫଳ ହୋଇଥାଏ । କେଜି ପ୍ରତି ଅତି କମରେ ୫୦ଟଙ୍କା ଦରରେ ବିକ୍ରି ହେଉଥିବାରୁ ପ୍ରଚୁର ଲାଭ ମଧ୍ୟ ହୋଇଥାଏ ।
ଏହା ମଧ୍ୟ ପଢ଼ନ୍ତୁ....କନ୍ଧମାଳରେ ୫୬ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ