ଓଡିଶା

odisha

ETV Bharat / state

ଟଳିଛି ବନ୍ୟା ପରିସ୍ଥିତି, ସରିନି ବନ୍ୟା ବିପନ୍ନଙ୍କ ଦୁଃଖ - ବନ୍ୟା

ଗତ 14 ତାରିଖ ରାତିରେ ମହାନଦୀର ସାତକୋଶିଆ ଗଣ୍ଡରେ ହଠାତ ମାଡି ଆସିଥିଲା ବନ୍ୟା ଜଳ । ଯେଉଁଥିରେ ଜଳମଗ୍ନ ହୋଇଥିଲା ଅନେକ ଅଞ୍ଚଳ । ଭୟରେ ଉଚ୍ଚ ଜାଗାକୁ ଚାଲି ଯାଇଥିଲେ ଲୋକେ । ଏବେ ବନ୍ୟା ବିପଦ ଟଳିଛି ସତ ହେଲେ ସରିନି ବନ୍ୟା ବିପନ୍ନଙ୍କ ଦୁଃଖ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 17, 2019, 10:40 PM IST

ଅନୁଗୋଳ: ଟଳିଛି ବନ୍ୟା ଭୟ । ବିପଦ ସଙ୍କେତ ତଳକୁ ଖସିଛି ପ୍ରମୁଖ ନଦୀର ଜଳସ୍ତର । ହେଲେ ଟଳିନି ନଦୀ କୂଳିଆ ଲୋକଙ୍କ ଦୁଃଖ । ଏ ହେଉଛି ମହାନଦୀ ସାତକୋଶିଆ ଗଣ୍ଡରେ ବସବାସ କରୁଥିବା ନଦୀ କୂଳିଆବାସୀଙ୍କ କଥା । ଗଣ୍ଡରେ ଛାଡି ଯାଇଛି ବନ୍ୟା ଜଳ । କିନ୍ତୁ ଭସାଇ ନେଇଛି ଏମାନଙ୍କ ବାସସ୍ଥାନ ଓ ଜୀବିକା । ଫଳରେ ପିଲାଛୁଆଙ୍କୁ ନେଇ ଖୋଲା ଆକାଶ ତଳେ ରହିବା ସହ ପ୍ରଶାସନର ସହାୟତାକୁ ଚାତକ ପରି ଅନାଇ ବସିଛନ୍ତି ବନ୍ୟା ବିପନ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତ 14 ତାରିଖ ରାତିରେ ମହାନଦୀର ସାତକୋଶିଆ ଗଣ୍ଡରେ ହଠାତ ମାଡି ଆସିଥିଲା ବନ୍ୟା ଜଳ । ଯେଉଁଥିରେ ଅନୁଗୋଳ ବ୍ଲକର ଟିକରପଡା, ବେହେରାସାହି, ଗଇନ୍ଦି, ମଝିପଡା ଓ ଘାଟସାହି ଜଳମଗ୍ନ ହୋଇଥିଲା । ଏଥିସହ ଆଠମଲ୍ଲିକ ବ୍ଲକର କିଆକଟା, ବିନିକେଇ ଆଦି ଅଞ୍ଚଳ ମଧ୍ୟ ବନ୍ୟା ଜଳରେ ଉବୁଟୁବୁ ହୋଇଥିଲା । ଫଳରେ ଏବେବେ ରାସ୍ତାଘାଟ ଓ ଚାଷ ଜମି, ସବୁଆଡେ କେବଳ ପାଣି ହିଁ ପାଣି ।

ନଦୀ କୂଳିଆ ରହୁଥିବା ପ୍ରାୟ 100ରୁ ଅଧିକ ମତ୍ସ୍ୟଜୀବୀଙ୍କ ଘର ଭସାଇ ନେଇଗଲା ବନ୍ୟା ପାଣି । ଅନେକଙ୍କ ଘର ଭିତରେ ଥିବା ଆସବାବପତ୍ର ମଧ୍ୟ ବୋହିଗଲା ବନ୍ୟାରେ । ଏମାନଙ୍କ ଜୀବିକା କୁହାଯାଇଥିବା ମାଛ ଧରା ଜାଲ ମଧ୍ୟ ବୋହିଗଲା । ପ୍ରାଣ ବିକଳରେ ଡଙ୍ଗାରେ ରାତାରାତି ଉଚ୍ଚ ଜାଗାକୁ ପଳାଇ ଆସିଥିଲେ ସଭିଏଁ । କିଏ ସ୍କୁଲ ବାରଣ୍ଡାରେ ତ ଆଉ କିଏ ପାହାଡ ଉପରେ ଆଶ୍ରୟ ନେଇ ଜୀବନ ବଞ୍ଚାଇଥିଲେ ।

ହେଲେ ବନ୍ୟା ଜଳ ପଶିବାର ପ୍ରଥମ ଦିନରେ ପ୍ରଶାସନ ପକ୍ଷରୁ କିଛି ଚୂଡା ଓ ଚିନି ବଣ୍ଟା ଯାଇଥିବା ବେଳେ ମାତ୍ର ଥରେ ବଣ୍ଟା ଯାଇଛି ରନ୍ଧା ଖାଦ୍ୟ । ଏହାପରେ ଯେମିତି ଏମାନଙ୍କ ଠିକଣା ଭୁଲିଯାଇଛି ପ୍ରଶାସନ । ଆଉ ଦେଖା ମିଳୁନି ପ୍ରଶାସନର କି ବନ୍ୟା ବିପନ୍ନଙ୍କୁ ମିଳୁନି ଭୋକ ମାରିବାକୁ ଗଣ୍ଡେ ଦାନା । ତେଣେ ବନ୍ୟା ବିପନ୍ନଙ୍କ ପାଖରେ ନା ଅଛି ବିଦ୍ୟୁତ ସେବା, ନା ଅଛି ପ୍ରାଥମିକ ଆବଶ୍ୟକ ସାମଗ୍ରୀ । କୁନି କୁନି ପିଲାଙ୍କ ପାଇଁ ମଧ୍ୟ ମିଳୁ ନାହିଁ କ୍ଷୀର । ଫଳରେ ଭୋକରେ ଆଉଟୁ ପାଉଟୁ ହୋଇ ଦିନ କାଟୁଛନ୍ତି ଲୋକେ ।

ସେପଟେ ଘର ଭସାଇ ନେଇଥିବାରୁ ସ୍କୁଲ ଘରେ ଆଶ୍ରୟ ନେଉଥିବା ନଦୀ କୂଳିଆଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ଦିଆଯାଇଛି ଧମକ । ପିଲାଙ୍କ ପାଠପଢା ବ୍ୟାହତ ହେଉଥିବାରୁ ତଡା ଖାଉଛନ୍ତି ବନ୍ୟା ବିପନ୍ନ । ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ । ଆଉ ଶୀଘ୍ର ସମାଧାନର ଦେଇଥିଲେ ପ୍ରତିଶୃତି । ହେଲେ ପ୍ରତିଶୃତି ପୂରଣ ପର୍ଯ୍ୟନ୍ତ କେଉଁଠି ରହିବେ ଏମାନେ ଓ କ’ଣ ଖାଇବେ, ତାହା ଏବେ ନଦୀ କୂଳିଆଙ୍କ ପାଇଁ ପାଲଟିଛି ମୁଖ୍ୟ ଚିନ୍ତା ।

ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି କି ମହାନଦୀରେ ବାରମ୍ବାର ବନ୍ୟା ଆସୁଛି । କିନ୍ତୁ ବନ୍ୟା ହେଲେ ଆଶ୍ରୟ ନେବା ପାଇଁ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ହେଉ ନାହିଁ । ଫଳରେ ବିପନ୍ନମାନେ ପ୍ରାୟ ପ୍ରତିବର୍ଷ ଏଭଳି ଅସୁବିଧା ଭୋଗୁଛନ୍ତି । ତେଣୁ ଏନେଇ ଶୀଘ୍ର ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details