ଅନୁଗୋଳ: ସାତକୋଶିଆ ପାଇଁ ଶୁଭ ଖବର । ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ୫ ଶହରୁ ଊର୍ଦ୍ଧ୍ବ ଛୁଆ ଜନ୍ମ ନେଇଛନ୍ତି । ଗତ କିଛିମାସ ପୂର୍ବରୁ ନଦୀ କୂଳରେ କୁମ୍ଭୀରମାନେ ଅଣ୍ଡା ଦେଇଥିଲେ ।
ଜୁଲାଇ ମାସ ଶେଷ ସପ୍ତାହରେ ବିଭିନ୍ନ ସ୍ଥାନରେ ମଗର କୁମ୍ଭୀର ଛୁଆ ଅଣ୍ଡାରୁ ବାହାରି ପାଣି ଥିବା ବୁଦା ମୂଳରେ ଲାଗି ରହିଛନ୍ତି । ଆଠମଲ୍ଲିକ ବିନିକେଇ ଠାରୁ କଟରଙ୍ଗ ପର୍ଯ୍ୟନ୍ତ ଗଣ୍ଡ କୂଳରେ ଖରାଦିନେ କୁମ୍ଭୀର ଅଣ୍ଡାଦାନ କରିଥାନ୍ତି । ବାଗଧାରା ଖାଲ, ମହଲ ଡିଗା, ବଳଦ ମରା, ଝରଝରି, କୁମ୍ଭୀର ସ୍କିମ ତଳ, ମଝିପଡା ଘାଟ, ମାରଡ଼ା, ପୁରୁଣା ନେଚର କ୍ୟାମ୍ପ ଅଞ୍ଚଳ ବାଲି ଭିତରେ ପ୍ରାୟ ୧୦ରୁ ଅଧିକ କୁମ୍ଭୀର ଜଣେ ଜଣେ ଆନୁମାନିକ ୪୦ରୁ ୭୦ ଲେଖାଏଁ ଅଣ୍ଡା ଦେଇଥିଲେ ।
ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ଏହା ନଜରରେ ପଡିଥିଲା । ଏଥିସହ କୁମ୍ଭୀର ଛୁଆଗୁଡିକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି ।