ଅନୁଗୋଳ:ଅନୁଗୋଳ ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ସାଙ୍ଗକୁ କଳା ବଜାରି ଚାଷୀଙ୍କ ଚିନ୍ତା ବଢାଇଛି । ବର୍ତ୍ତମାନ ସମୟରେ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ଚାଷୀଙ୍କୁ ଚାହିଦା ଅନୁସାରେ ମିଳୁନି । ଫଳରେ ବାଧ୍ୟ ହୋଇ ଚାଷୀମାନେ ସରକାରୀ ଧାର୍ଯ୍ୟ ଦର ଠାରୁ ଯଥେଷ୍ଟ ଅଧିକ ଦରରେ କିଣୁଛନ୍ତି ସାର । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଚଳିତ ବର୍ଷ ଜିଲ୍ଲାରେ ୮୭ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ କରାଯାଇଛି । ପ୍ରଥମେ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଲଘୁଚାପ ବର୍ଷା ପରେ ଚାଷୀ ଆଶ୍ବସ୍ତି ପାଇଥିଲା । ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ ଧାନ ଚାଷ ପୁଣି ଥରେ ସ୍ବାଭାବିକ ହେଲା । ତେବେ ଧାନ ତଳି ରୁଆ ହେବା ହେବାର ପ୍ରାୟ ୨୧ଦିନ ପରେ ୟୁରିଆ ସାର ପ୍ରୟୋଗ କରିବାର ଆବଶ୍ୟକତା ରହିଛି । ନଚେତ ଧାନ ଉତ୍ପାଦନ କମିବାର ସମ୍ଭାବନା ରହିଛି । ତେଣୁ ବର୍ତ୍ତମାନ ସମୟରେ ୟୁରିଆ ସାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି । ସାର ଆବଶ୍ୟକ ଅନୁସାରେ ମିଳୁନି । ଏନେଇ ଚିନ୍ତାରେ ପଡିଛି ଚାଷୀକୂଳ ।
ସରକାରୀ ଭାବେ ୟୁରିଆ ସାର ବସ୍ତି ପ୍ରତି ୨୬୬ଟଙ୍କା ୫୦ ପଇସା ଥିବା ବେଳେ ଚାଷୀମାନେ ବାହାରୁ ୫୦୦ ରୁ ୬୦୦ ଟଙ୍କା ଦେଇ ବାଧ୍ୟ ହୋଇ କିଣୁଛନ୍ତି । ତାହା ପୁଣି ଯଥେଷ୍ଟ ପରିମାଣରେ ମିଳୁ ନାହିଁ । ଜିଲ୍ଲା ପାଇଁ ପ୍ରାୟ ୫ହଜାର ଟନ ୟୁରିଆ ସାର ଆବଶ୍ୟକତା ରହିଛି । କିନ୍ତୁ ସରକାରଙ୍କ ତରଫରୁ ୩୭୦୦ ଟନ ସାର ଜିଲ୍ଲାକୁ ମିଳିଛି । ସାର ଜିଲ୍ଲାରେ ଥିବା ୧୫୦ରୁ ଅଧିକ ସମବାୟ ସମିତି ଓ ୧୩ଟି ଘରୋଇ ବିକ୍ରେତାଙ୍କ ଜରିଆରେ ଚାଷୀଙ୍କୁ ଦିଆଯାଉଛି । ତେବେ ଯେଉଁ ସମବାୟ ସମିତିରେ ସାର ମିଳୁଛି ସେଠାରେ ଯେତେ ପରିମାଣର ସାର ଆବଶ୍ୟକ ତାଠାରୁ ଯଥେଷ୍ଟ କମ ସାର ମହଜୁଦ ରହୁଛି ।