ଅନୁଗୋଳ:ଜିଲ୍ଲାରେ ବର୍ତ୍ତମାନ ମରୁଡି ଆଶଙ୍କା ଦେଇଛି । ଅନୁଗୋଳରେ ଆବଶ୍ୟକ ବର୍ଷା ଅଭାବରୁ ଧାନ ଜମି ଫାଟି ଆଁ କଲାଣି । ଜଳ ସେଚନ ଅଞ୍ଚଳରେ କିଛି କିଛି ଜମିରେ ଭଲ ଅଛି ମାତ୍ର କେଉଁ ଜଳସେଚନ ପ୍ରକଳ୍ପରେ ପାଣି ମଧ୍ୟ ନଥିବା ଦେଖିବାକୁ ମିଳିଛି । ଯେଉଁ ସମୟରେ ଧାନକ୍ଷେତ ସବୁଜିମାରେ ଭରପୁର ହେବା କଥା ସେହି ସମୟରେ ଜମି ପଡିଆ ପଡ଼ି ଗାଈଗୋରୁ ଚରୁଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡି ସ୍ଥିତି ଉପୁଜିଛି । ଏହାକୁ ନେଇ ଅନୁଗୋଳ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି । ଜିଲ୍ଲା ପାଲଲହଡ଼ା ବ୍ଲକ କୁଞ୍ଜାମ, ଇଁଜିଡି , ରୋହିଲା ମୁଣ୍ଡୁରି ବେଡ ଆଦି ପଞ୍ଚାୟତରେ ଘୋର ମରୁଡ଼ି ପରିସ୍ଥିତି ଦେଖା ଦେଇଛି । ସ୍ଵଳ୍ପ ବୃଷ୍ଟିପାତ କାରଣରୁ ଧାନ ଫସଲ ଭଲ ହୋଇନାହିଁ । ଏନେଇ ଜିଲ୍ଲାପାଳଙ୍କୁ ଭେଟି କ୍ଷତିପୂରଣ ନେଇ ଦାବି ଜଣାଇଛନ୍ତି ଅଞ୍ଚଳର ଚାଷୀ ।
ବରିଷ୍ଠ ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ଵରେ ଗ୍ରାମବାସୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ମରୁଡ଼ି ଘୋଷଣା ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଧାନ କଟା ଶେଷ ହେବାକୁ ବସିଲାଣି, ଅବଶିଷ୍ଟ ହାତୀ ଓ ବାରହ୍ ଉପଦ୍ରବ ଫସଲ ନଷ୍ଟ ହେଉଛି, କିନ୍ତୁ ଆରଆଇ, କୃଷି କର୍ମଚାରୀ ଇନସୁରାନ୍ସ କମ୍ପାନି, ମରୁଡ଼ି ଗ୍ରସ୍ତ ଅଞ୍ଚଳ ଗସ୍ତ କରୁନଥିବା ଅଭିଯୋଗ ହୋଇଛି । ଇନସୁରାନ୍ସ କମ୍ପାନୀର ଚଞ୍ଚକତା କାରଣରୁ ମରୁଡ଼ି ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ । ତୁରନ୍ତ ମରୁଡ଼ି ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତି ଆକଳନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ପାଞ୍ଚ ପଞ୍ଚାୟତ ଲୋକେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳ ସେମାନଙ୍କ ଦାବି ଶୁଣିବା ପରେ ଆବଶ୍ୟକତୀୟ ପଦକ୍ଷେପ ନେବେ ବୋଲି କହିଛନ୍ତି ।