ଓଡିଶା

odisha

ETV Bharat / state

ଉଜୁଡା ଫସଲ ଧରି ଲୁହ ଢାଳୁଛି ଚାଷୀ - farmers tension for flood

ଦିନ ରାତି ଏକ କରି, ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିଲା । ଆଶା କରିଥିଲା ଭଲ ଫସଲ ହେଲେ ବର୍ଷର ଖାଦ୍ୟ ସଞ୍ଜୟ କରି ବଳକା ଶସ୍ୟରେ ରୁଣ ସୁଝିବ । ହେଲେ ଧାନ କାଟିବା ପୂର୍ବରୁ ହାତରେ ଉଜୁଡି ଫସଲ ଧରେଇ ଦେଲା ବନ୍ୟା । ଅନୁଗୋଳ ସାତକୋଶିଆ ଗଣ୍ଡ ଅବବାହିକା ଟିକରପଡା ପଞ୍ଚାୟତର ଅନେକ ଚାଷୀଙ୍କୁ କନ୍ଦେଇ ଦେଇଗଲା ବନ୍ୟା ।

ଉଜୁଡା ଫସଲ ଧରି ଲୁହ ଢାଳୁଛି ଚାଷୀ
ଉଜୁଡା ଫସଲ ଧରି ଲୁହ ଢାଳୁଛି ଚାଷୀ

By

Published : Sep 7, 2020, 12:37 PM IST

ଅନୁଗୋଳ: ଉଜୁଡି ଗଲା ସୁନାର ଫସଲ । ମଉଳି ଯାଇଛି ଆଶା । ଶହ ଶହ ଏକର ଜମିରେ ପଚି ସଢି ଯାଇଛି ଧାନ , ପନିବାର ଓ ଡାଲି ଜାତୀୟ ଫସଲ । ମୁଣ୍ଡର ଝାଳ ତୁଣ୍ଡରେ ମାରି ବହୁ ଋଣ କରଜ କରି ଚାଷ କରିଥିଲା ଚାଷୀ । ହେଲେ ସବୁକିଛି ଭସାଇ ଦେଇଛି ବନ୍ୟା । ଅନୁଗୋଳ ସାତକୋଶିଆ ଗଣ୍ଡର ଅବବାହିକାରେ ଥିବା ଟିକରପଡା ପଞ୍ଚାୟତର ଚାଷୀଙ୍କୁ ଅନେକ କଷଣ ଦେଇଯାଇଛି ବନ୍ୟା ।

ଉଜୁଡା ଫସଲ ଧରି ଲୁହ ଢାଳୁଛି ଚାଷୀ

ଏହି ପଞ୍ଚାୟତର ଟିକରପଡା, ମଝିପଡା, ବେହେରାସାହି, ଗଇନ୍ଦି, ରାମିମୁଣ୍ଡା ସହ ଅନେକ ଗାଁର ଏକର ଏକର ଚାଷ ଜମିରେ ବନ୍ୟା ଜଳ ପ୍ରାୟ ୫ ଦିନ ଧରି ଜମି ରହିଲା। ଫଳରେ ଧାନ ସମେତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଗଛ ସବୁ ପଚିଶଢି ଗଲା । ଆଉ ମାତ୍ର ୨ମାସ ପରେ ଧାନ ଅମଳ କରିଥାନ୍ତେ ଚାଷୀ। ଡାଲି ଜାତୀୟ ଫସଲ ଅମଳ ଆରମ୍ଭ ହୋଇ ଯାଇଥିଲା। ପନିପରିବା ମଧ୍ୟ ବିକ୍ରି କରିବା ଆରମ୍ଭ କରାଯାଇଥିଲା। ଠିକ ସମୟରେ ଆଖି ପକାଇ ଦେଲା ବନ୍ୟା ।

ଅନ୍ୟପଟେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ଅନ୍ୟ କିଛି ରୋଜଗାର ନାହିଁ କହିଲେ ଚଳେ। କେବଳ ଚାଷ ବାସ କରି ଲୋକେ ଚଳନ୍ତି। ଜଙ୍ଗଲୀ ଜନ୍ତୁଙ୍କ ଠାରୁ ବହୁ କଷ୍ଟରେ ଫସଲକୁ ରକ୍ଷା କରି ଚାଷ କରିଥିଲେ। ଋଣ କରି ସାର ଔଷଧ କିଣି ଥିଲେ। ଆଶା ଥିଲା ଅମଳ ହେଲେ ବର୍ଷ ସାରା ଖାଇବାକୁ ରଖିବା ସହ ବଳକା ଶସ୍ୟ ବିକ୍ରି କରି ଋଣ ପରିଶୋଧ କରିବେ। ହେଲେ ଚାଷୀଙ୍କ ଏହି ଆଶାକୁ ଭସା ନଦୀରେ ଭସାଇ ଦେଇଛି ବନ୍ୟା । ଏବେ ଚାଷୀଙ୍କ ଚିନ୍ତା ଖାଇବେ କଣ। ଋଣ ପରିଶୋଧ କରିବେ କେମିତି।

କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଆକଳନ ଅନୁସାରେ କେବଳ ଟିକରପଡା ପଞ୍ଚାୟତର ୪୦୦ଏକରରୁ ଅଧିକ ଜମିରେ ଫସଲ ନଷ୍ଟ ହୋଇଛି। ତେଣୁ ଚାଷୀ ମାନଙ୍କୁ କିଭଳି ସହାୟତା ଦିଆଯିବ ତାହା ସରକାରୀ ସ୍ତରରେ ନିଷ୍ପତି ନିଆଯିବ। ଅନ୍ୟ ପକ୍ଷରେ ବିପନ୍ନ ଚାଷୀ ଚାତକ ପରି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details