ଅନୁଗୋଳ: ଦୀର୍ଘ ୪ ମାସ ହେଲା ଗାଁରେ ଡେରା ପକାଇଛନ୍ତି ୪୦ରୁ ଅଧିକ ହାତୀ । ବିଲ ବାଡ଼ିରେ ଫସଲ ଦୂରର କଥା ଘର ଅଗଣାରେ ଗଛଟିଏ ମଧ୍ୟ ରଖୁନାହାନ୍ତି । ଶହ ଶହ ଏକର ଜମିରେ ଧାନ, ବାଦାମ, ବିରି, ମୁଗ ଓ ଅନ୍ୟାନ୍ୟ ପନିପରିବା ଖାଇ ଦଳି ଚକଟି ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି । ଏପରିକି ସନ୍ଧ୍ୟା ହେଲେ ଘର ଆଗରେ ଆସି ଠିଆ ହେଉଛନ୍ତି ହାତୀ । ଗୋଟିଏ ପଟେ ଫସଲ ନଷ୍ଟ ଅନ୍ୟପଟେ ଲୋକଙ୍କ ଜୀବନ ପ୍ରତି ବିପଦ । ଏଭଳି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳର ବସଲା ପଞ୍ଚାୟତବାସୀ ।
ଅନୁଗୋଳ ଜିଲ୍ଲାର ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ବସଲା ପଞ୍ଚାୟତ । ଏହି ପଞ୍ଚାୟତରେ ବସଲା, ସୁନାଭୁଇଁ, ଆଦିଆଘାଇ, ମୁଣ୍ଡାଧିପ ସାହି ଆଦି ଗାଁ ରହିଛି । ଏଠାକାର ଲୋକଙ୍କ ମୁଖ୍ୟ ଜୀବିକା କୃଷି । ଧାନ ବ୍ୟତୀତ ଏହି ଅଞ୍ଚଳରେ ବାଦାମ, ହରଡ଼, ମୁଗ, ବିରି, କୋଲଥ ସମେତ ସବୁପ୍ରକାର ପନିପରିବା ଚାଷ ହୁଏ । କିନ୍ତୁ ଏବେ ବଣୁଆ ହାତୀପଲ ସେମାନଙ୍କ ଜୀବିକା ଉଜାଡ଼ି ଦେଇଛନ୍ତି । ଚଳିତ ବର୍ଷ ଖୁବ ଭଲ ବାଦାମ, ବିରି ଓ ମୁଗ ଫସଲ ହୋଇଥିଲା । କିନ୍ତୁ ପ୍ରାୟ ୪୦ରୁ ଅଧିକ ହାତୀ ନିକଟରେ ଥିବା ଏକ ପାହାଡ଼ରେ ୪ ମାସ ହେଲା ରହୁଛନ୍ତି । ସନ୍ଧ୍ୟା ହେବା ମାତ୍ରେ ସେମାନେ ଗାଁ ଭିତରକୁ ଆସି ଉପଦ୍ରବ କରୁଛନ୍ତି । ପ୍ରତ୍ୟକ ଦିନ ଶହ ଶହ ଏକର ଜମିରେ ଏସବୁ ଫସଲ ନଷ୍ଟ କରୁଛନ୍ତି । ଦିନ କେଇଟା ପରେ ଚାଷୀ ବାଦାମ ଓ ବିରି ଅମଳ କରିଥାନ୍ତେ । ହେଲେ ସବୁ କିଛି ଉଜାଡ଼ି ଦେଇଛନ୍ତି ହାତୀପଲ । ଏତେ ସଂଖ୍ୟାରେ ହାତୀ ବିଲରେ ପଶି ସବୁ ଖାଇଦେବା ସହ ଦଳି ଚକଟି ନଷ୍ଟ କରି ଦେଉଛନ୍ତି ।
ହାତୀପଲ ଯିବା ପରେ ଫସଲରେ ପରିପୂର୍ଣ୍ଣ ଜମି ସମ୍ପୂର୍ଣ୍ଣ ପଡିଆ ହୋଇଯାଉଛି । ଏଭଳି ଅବସ୍ଥା ଦେଖି ଚାଷୀ ଲୁହ ଗଡାଇବା ବ୍ୟତୀତ ଅନ୍ୟ କିଛି ଉପାୟ ପାଉନି । ଚାଷୀ ବିହନ, ସାର ଔଷଧରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ହାତୀ ଯେଉଁ ଅବସ୍ଥା କରୁଛନ୍ତି ସେଥିରେ ଲାଭ ତ ଦୂରର କଥା ନିଜ ଖର୍ଚ୍ଚ କରିଥିବା ଅର୍ଥ ମଧ୍ୟ ମିଳିବା କଷ୍ଟ ହୋଇପଡ଼ିଛି । ଏହାଛଡା ବର୍ଷ ସାରା ସେମାନେ କେମିତି ଚଳିବେ ସେନେଇ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି । କିଛି ମାସ ପୂର୍ବରୁ ଯେଉଁଠି ଫସଲରେ ସବୁଜିମା ଥିଲା ଆଜି ସେଠାରେ ଗାଈଗୋରୁ ଚରୁଛନ୍ତି । ଚାଷ ଜମିର ଅବସ୍ଥା ଆଖିରେ ନ ଦେଖିଲେ ବିଶ୍ବାସ କରିହେବ ନାହିଁ । ଖାଲି ସେତିକି ନୁହେଁ, ହାତୀପଲ ଘର ଆଗରେ ଆସି ପଇଁତରା ମାରୁଛନ୍ତି । ଫଳରେ ଲୋକେ ଅତି ଜରୁରୀ କାମ ଥିଲେ ମଧ୍ୟ ରାତିରେ ଘରୁ ବାହାରକୁ ବାହାରୁ ନାହାନ୍ତି । ଏମିତି ଭୟ ଓ ଆତଙ୍କରେ ରହୁଛନ୍ତି ପଞ୍ଚାୟତର ଲୋକେ ।