ଅନୁଗୋଳ:ଜିଲ୍ଲାରେ ଉଗ୍ରରୂପ ଧାରଣ କରିଛି ହାତୀ । ପ୍ରତିଦିନ ଫସଲ ନଷ୍ଟ କରୁଥିବା ବେଳେ ଚିନ୍ତାରେ ରହିଛନ୍ତି ଚାଷୀ । ଅନୁଗୋଳ ବନାଞ୍ଚଳର ବନ୍ଦାଣପସି ଗାଁରେ ହାତୀ ଉପଦ୍ରଵ ଦେଖାଯାଇଥିବା ବେଳେ ଏକର ଏକର ଜମିରେ ଲକ୍ଷାଧିକ ଟଙ୍କାର ଆଖୁ ଫସଲ ନଷ୍ଟ କଲେ ହାତୀପଲ । ବହୁ ପରିଶ୍ରମ ଓ ଖର୍ଚ୍ଚ କରି ଆଖୁ ଚାଷ କରିଥିବା ଶତାଧିକ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବନ ବିଭାଗକୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।
ବନ୍ତଳା ବନାଞ୍ଚଳର ବନ୍ଦାଣପସି ଗାଁ । ଗାଁରେ ପ୍ରାୟ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି । ସମସ୍ତେ କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି । କିନ୍ତୁ ଆଖୁ ଚାଷ ହେଉଛି ସେମାନଙ୍କର ପ୍ରଧାନ ଫସଲ । ଗାଁର ଶତକଡା ୯୦ଭାଗ ଚାଷୀ ଦେଢ଼ ଶହ ଏକରରୁ ଅଧିକ ଜମିରେ ଆଖୁଚାଷ କରୁଛନ୍ତି । ଗୋଟିଏ ଏକର ଜମିରେ ଥରେ ଆଖୁ ଚାଷ କଲେ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲାଭ ହେଉଥିବାରୁ ଏହି ଚାଷକୁ ଅପଣେଇଛନ୍ତି ଚାଷୀ । ଜିଲ୍ଲାରେ ବନ୍ଦାଣପସି ଏକ ମାତ୍ର ଗାଁ ଯେଉଁଠି ପର୍ଯ୍ୟାପ୍ତ ଆଖୁ ଚାଷ ହୁଏ ।
ଚାଷୀମାନେ ଆଖୁ ବିକ୍ରି କରିବା ସହ ସେଥିରୁ ଗୁଡ଼ ପ୍ରସ୍ତୁତ କରି ମଧ୍ୟ ଭଲ ଦରରେ ବିକ୍ରି କରନ୍ତି । ଆଖୁ ଚାଷ ଚାଷୀଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣି ଦେଇଛି । କିନ୍ତୁ ଗତ କିଛି ବର୍ଷ ହେଲା ବଣୁଆ ହାତୀପଲ ସେମାନଙ୍କର ପ୍ରଧାନ ଶତ୍ରୁ ପାଲଟିଛନ୍ତି । ଆଖୁ ବାଡ଼ିରେ ପସି ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଉଛନ୍ତି । ଗତ ୩/୪ଦିନ ହେଲା ୩୦ ରୁ ୪୦ହାତୀ ଗାଁରେ ପସି ଆଖୁ ବାଡିକୁ ପୁରା ସଫା କରି ଦେଇଛନ୍ତି । ୩/୪ଦିନ ଭିତରେ ୩୦ଏକରରୁ ଅଧିକ ଜମିରେ ଆଖୁ ନଷ୍ଟ କରିଛନ୍ତି । ଆଗାମୀ ଦିନରେ ଆହୁରି ନଷ୍ଟ କରିବାର ଆଶଙ୍କା ରହିଛି । ଆଉ କିଛି ଦିନ ପରେ ଆଖୁ ଅମଳ କରି ବିକ୍ରି କରି ଥାଆନ୍ତେ । ହେଲେ ହାତୀ ମୁହଁରେ ସବୁ ଗଲା । ଏହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଶହ ଶହ ଆଖୁ ଚାଷୀ ।