ଅନୁଗୋଳ: ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀ । ଗୋଟିଏ ଦିନରେ ଲିଭିଯାଇଛି 4 ଜୀବନ । ହାତୀ ପଲଙ୍କ ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । ଆତ୍ମୀୟଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗତ ୭ତାରିଖ ଅନୁଗୋଳର ବିଭିନ୍ନ ଗାଁରେ ଗୋଟିଏ ଦିନରେ ହାତୀ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବନ ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରିଛି ବିଜେପି । ବୁଧବାର ରାଜ୍ୟ ବିଜେପିର ଏକ ଟିମ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସମସ୍ତ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ବିଜେପିର ଏହି ପ୍ରତିନିଧି ଦଳ ସକାଳ ୧୧ଟାରେ ପ୍ରଥମେ ଛେଳିଆପଡା ଯାଇ ମୃତକ ସୁବାସ ବିଶ୍ବାଳଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ଅଙ୍ଗାରବନ୍ଧ ଗାଁର ମୃତକ ଅନୁଭୂତ ସାହୁ, ବାରସିଙ୍ଗା ଗାଁର ମୃତକ ରମେଶ ସ୍ବାଇଁ ଏବଂ ସନ୍ତ୍ରୀ ଗାଁର ମୃତକ ଅଜୟ ସାମଲଙ୍କ ପରିବାରକୁ ଯାଇ ସମବେଦନା ଜଣାଇବା ସହ ସେମାନଙ୍କର ସୁଖ ଦୁଃଖ ବୁଝିଥିଲେ। ହାତୀ ଆକ୍ରମଣରେ ଜିଲ୍ଲାରେ ବହୁ ଧନ ଜୀବନ କ୍ଷୟକ୍ଷତି ହେଉଛି । ସରକାର ହାତୀ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ମଣିଷ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ବନ ବିଭାଗ ହାତୀର ଗତିବିଧି ନେଇ ଲୋକଙ୍କୁ ପୂର୍ବରୁ କୌଣସି ସୂଚନା ଦେଉ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି । ତେଣୁ ଏଥିପାଇଁ ବନ ବିଭାଗ ସମ୍ପୂର୍ଣ୍ଣ ଦାୟୀ ବୋଲି ଏହି ଟିମ ଅଭିଯୋଗ କରିଛି । ସରକାର ଲୋକଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବା ସହ ମୃତକ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ପରିବାରର ଜଣକୁ ନିଯୁକ୍ତି ଦେବାକୁ ଦାବି କରିଥିଲେ ବିଜେପି ପ୍ରତିନିଧି ଦଳ ।
ଏହା ବି ପଢନ୍ତୁ...ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଭେଟିଲେ ପିସିସି ସଭାପତି