ଅନୁଗୋଳ: କୋଭିଡ କଟକଣା ଯୋଗୁଁ ଫିକା ପ୍ରସିଦ୍ଧ ଶକ୍ତିପୀଠ ମା’ ହିଙ୍ଗୁଳାଙ୍କ ପୀଠ । ବିନା ଭକ୍ତରେ ନିରବ, ନିସ୍ତବ୍ଧ ନବରାତ୍ର ପୂଜା । କେବଳ ବିଧି ବଞ୍ଚାଇବାକୁ ଚାଲିଛି ଯଜ୍ଞ ଓ ପୂଜାର୍ଚ୍ଚନା ।
ପ୍ରସିଦ୍ଧ ଶକ୍ତି ପୀଠ ମଧ୍ୟରୁ ମା’ ହିଙ୍ଗୁଳାଙ୍କ ପୀଠ ଅନ୍ୟତମ । ସମଗ୍ର ଭାରତର ଏହା ଏଭଳି ଏକ ଶକ୍ତି ପୀଠ ଯେଉଁଠି ଭକ୍ତ ଠାରୁ ଭଗବାନ ସିଧାସଳଖ ନୈବେଦ୍ୟ ଗ୍ରହଣ କରନ୍ତି । କିମ୍ବଦନ୍ତୀ କହେ ଏହି ପୀଠର ସିଧାସଳଖ ସମ୍ପର୍କ ରହିଛି ଶ୍ରୀକ୍ଷେତ୍ର ସହ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘରର ଠାକୁରାଣୀ । ଅଗ୍ନି ରୂପରେ ଶ୍ରୀକ୍ଷେତ୍ର ଛାଡି ତାଳଚେର ଗୋପାଳ ଗଡରେ ବିଜେ ହୋଇଛନ୍ତି । ଏଠାରେ ମା’ ହିଙ୍ଗୁଳା ଅଗ୍ନି ରୁପରେ ବିରାଜମାନ କରିଛନ୍ତି ।
ମା’ ହିଙ୍ଗୁଳାଙ୍କ 12 ମାସରେ 13 ପର୍ବ ହୋଇଥିଲେ ମଧ୍ୟ ଚୈତ୍ର ମାସ ଶୁକ୍ଳ ପକ୍ଷରେ ହେଉଥିବା ବାର୍ଷିକ ଯାତ୍ରା ଓ ଦଶହରା ନବରାତ୍ର ପୁଜାର ମହନୀୟତା ଅତ୍ୟନ୍ତ ସ୍ବତନ୍ତ୍ର । ହେଲେ ଏଥର କୋରନା କଟକଣା ମା’ ଙ୍କ ପୂଜା ପାଳନରେ ବାଧକ ହୋଇଥିବାବେଳେ କେବଳ ବିଧି ଓ ପରମ୍ପରାକୁ ବଞ୍ଚାଇବା କଟକଣା ମଧ୍ୟ କରାଯାଉଛି ଆରାଧନା ।
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ହିଙ୍ଗୁଳା । ତାଳଚେରର ଗୋପାଳ ଗଡରେ ମା’ ପ୍ରକଟିତ । କୁହାଯାଏ ସତୀଙ୍କ ଅଂଶ ବିଶେଷ ହେଉଛନ୍ତି ମା’ । ଅଗ୍ନି ରୂପରେ ବିରାଜିତ ମାଁ ହିଙ୍ଗୁଳା । ଅଞ୍ଚଳବାସୀଙ୍କ ବିଶ୍ଵାସ ମା’ ଙ୍କୁ ଡାକିଲେ ସେ ଡାକ ଶୁଣନ୍ତି । ମାଁଙ୍କ କରୁଣା ଅପାର । ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ମାଁଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୁଏ । ସେହି ଦିନ ମା’ ଅଗ୍ନି ରୁପରେ ପ୍ରକଟ ହୁଅନ୍ତି । ୯ ଦିନ ଧରି ଅଗ୍ନି ରୂପରେ ପୂଜା ପାଆନ୍ତି, ଏହାଛଡ଼ା ସାରଦୀୟ ପୂଜା ଆସିଲେ ଚଳଚଞ୍ଚଳ ହୋଇ ପଡ଼େ ମାଁଙ୍କ ପୀଠ । ସମସ୍ତ ରିତୀନିତୀରେ ନବରାତ୍ର ପୂଜା ହୁଏ । ଷୋଡ଼ଶ ଉପଚାରରେ ମା’ଙ୍କ ପୂଜା କରାଯାଏ । ଏଠାକାର ବିଶେଷତ୍ବ ହେଲା ଯେ ମା’ଙ୍କର ଖଡ଼ଗ, ଚକ୍ର ଆଦି ଯେତେ ଅସ୍ତ୍ର ରହିଛି ସବୁ କିଛି ନବ ରାତ୍ରରେ ପୂଜା କରାଯାଏ । ମାତ୍ର ଏଥର ପୂଜାରେ ନାହାଁନ୍ତି ଭକ୍ତ । ପୂଜାରେ ଲାଗିଛି କୋରନା କଟକଣା । କେବଳ ବିଧି ଓ ପରମ୍ପରା ବଞ୍ଚାଇବା ପାଇଁ କରାଯାଇଛି ପୂଜା ।