ଅନୁଗୋଳ: ଗରିବ ଘରେ ମେଧାବୀ ଛାତ୍ର । ନିଜର ଉଦ୍ଭାବନ ପାଇଁ ଓଡିଆ ପୁଅକୁ ନାସାରୁ ଆସିଛି ଡାକରା । ସାଧାରଣ ବ୍ୟାଗ ବିକାଳିଙ୍କ ପୁଅକୁ ମିଳିଛି ଏଭଳି ସଫଳତା । ଯାହାପାଇଁ ସେ ପଢୁଥିବା ସ୍କୁଲ ଠାରୁ ଆରମ୍ଭ କରି ପରିବାର ଲୋକେ ସମସ୍ତେ ଗର୍ବିତ । ଏହି ମେଧାବୀ ଛାତ୍ର ଜଣଙ୍କ ହେଉଛନ୍ତି ଅନୁଗୋଳର । ଦେଶର ଦୁଇ ଜଣ ଛାତ୍ରଙ୍କୁ ମିଳିଛି ଏହି ସଫଳତା । ବିଜ୍ଞାନ ପ୍ରତି ଆଗ୍ରହ ରଖିଥିବା ଏହି ଛାତ୍ର ଜଣଙ୍କ ହେଉଛନ୍ତି ଶୁଭ୍ରାଂଶୁ ନାୟକ।
ହୁଲୁରିସିଂହାର ଲକ୍ଷ୍ମଣ ନାୟକ ଓ ସୁଲୋଚନା ନାୟକଙ୍କ ଏକ ମାତ୍ର ପୁଅ ଶୁଭ୍ରାଂଶୁ ନାୟକ । ବାପା ଲକ୍ଷ୍ମଣ ଜଣେ ବ୍ୟାଗ ବିକାଳି । ହେଲେ ପୁଅର ସ୍ଵପ୍ନ ବୈଜ୍ଞାନିକ ହେବା । ଆଉ ଏହି ସ୍ଵପ୍ନ ଏବେ ସତ ହେବାକୁ ଯାଉଛି । ନିଜର ଉଦ୍ଭାବନ ପାଇଁ ତାଙ୍କୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସାରୁ ଆସିଛି ଡାକରା । ନିଜର ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ୬୫ ହଜାର ଟଙ୍କା ବିନିମୟରେ ନିର୍ମାଣ କରିଛନ୍ତି “ମାଭିକ” ନାମକ ଯନ୍ତ୍ର । ଯାହା ଏକ ସ୍ଵତନ୍ତ୍ର ଡ୍ରୋନ । ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଦେବା ସହ ଡାକ୍ତରଙ୍କ ପରାମର୍ଶ ବି ନେଇ ହେବ । ଏଭଳି ଏକ ଯନ୍ତ୍ର ତିଆରି କରି ଶୁଭ୍ରାଂଶୁ ନାସା ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି ।