ଅନୁଗୋଳ: ଗୋଟିଏ ପଟେ କୋରୋନାର ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଭୁରି ଭୁରି ପ୍ରଶଂସା ମିଳୁଥିବା ବେଳେ ଅନ୍ୟପଟେ ଅନୁଗୋଳରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ଼ ମରାଯାଇଛି । ଡାକ୍ତରଖାନାରେ ରୋଗୀ ଦେଖୁଥିବା ବେଳେ ଜଣେ ବରିଷ୍ଠ ଡାକ୍ତରଙ୍କୁ 3-4 ଜଣ ମିଶି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ଅନୁଗୋଳ ତାଳଚେର ମଣ୍ଡାପାଳଠାରେ ଥିବା ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ।
ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡର ପୁରା ଚିତ୍ର ଡାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁସାରେ ତାଳଚେରର ଜଣେ ବ୍ୟକ୍ତି ତାଙ୍କ ମା’ଙ୍କୁ ନେଇ ଡାକ୍ତରଖାନାକୁ ଆସିଥିଲେ । ମା’ଙ୍କ ଦେହ ଅସୁସ୍ଥ ଥିବା ଯୋଗୁଁ ଡ୍ୟୁଟିରେ ଥିବା ଡାକ୍ତର ଏଲ.ଏନ. ପ୍ରସାଦଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ ଡାକ୍ତରଖାନା ଟିକେଟ ଆଣିବାକୁ କହିଥିଲେ । ବ୍ୟକ୍ତି ଜଣଙ୍କ ଯାଇ ଟିକେଟ ନେଇ ଆସିବା ବେଳକୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାକୁ ନେଇ ବ୍ୟକ୍ତି ଜଣଙ୍କ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କୁ ମାଡ଼ ମାରିଥିଲେ ।