ଓଡିଶା

odisha

ETV Bharat / state

ବଢିଛି ବୟସ, କମିନି ଶିକ୍ଷକତା ନିଶା

‘ଯେ ପର୍ଯ୍ୟନ୍ତ ମୋ ଶରୀରରେ ପାଠ ପଢାଇବା ପାଇଁ ଶକ୍ତି ଅଛି ସେ ପର୍ଯ୍ୟନ୍ତ ମୁଁ ପାଠ ପଢାଇବି।’ ଚାକିରିରୁ ଅବସର ପରେ ବି ଏହିଭଳି ମାନସିକତା ନେଇ ପ୍ରତିଦିନ ସ୍କୁଲ ଆସି ପାଠ ପଢାନ୍ତି ଏହି ଶିକ୍ଷକ । ଅବସର ପରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ବିନା କୌଣସି ପାରିଶ୍ରମିକରେ ପିଲାଙ୍କୁ ଶିକ୍ଷା ଦେବା ପାଲଟିଛି ତାଙ୍କର ମୁଖ୍ୟ ଧର୍ମ ।

By

Published : Sep 5, 2019, 7:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ‘ଯେ ପର୍ଯ୍ୟନ୍ତ ମୋ ଶରୀରରେ ପାଠ ପଢାଇବା ପାଇଁ ଶକ୍ତି ଅଛି ସେ ପର୍ଯ୍ୟନ୍ତ ମୁଁ ପାଠ ପଢାଇବି ।’ ଚାକିରିରୁ ଅବସର ପରେ ବି ଏହିଭଳି ମାନସିକତା ନେଇ ପ୍ରତିଦିନ ସ୍କୁଲ ଆସି ପାଠ ପଢାନ୍ତି ଏହି ଶିକ୍ଷକ । ଅବସର ପରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 10 ବର୍ଷ ହେବ ବିନା କୌଣସି ପାରିଶ୍ରମିକରେ ପିଲାଙ୍କୁ ଶିକ୍ଷା ଦେବା ପାଲଟିଛି ତାଙ୍କର ମୁଖ୍ୟ ଧର୍ମ । ଏ ହେଉଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅମାନ୍ତପୁର ଗାଁର ଦିବାକର ଅମାନ୍ତ । ଗୁରୁ ଦିବସ ଅବସରରେ ଏପରି ଜଣେ ନିଃସ୍ବାର୍ଥପର ଶିକ୍ଷକଙ୍କୁ ଭେଟିଥିଲା ଇଟିଭି ଭାରତ ଟିମ୍‌ ।

କୁହାଯାଏ ପାଠ ପଢିବା କି ପଢାଇବାର କୌଣସି ବୟସ ନଥାଏ । ପାଠ ପଢାଇବା ନିଶାରେ ଅବିରତ ନିଜକୁ ବ୍ରତୀ କରିଥିବା ଏଭଳି ଜଣେ ଶିକ୍ଷକ ହେଉଛନ୍ତି ଦିବାକର ଅମାନ୍ତ । ଛେଣ୍ଡିପଦା ବ୍ଲକ ଅମାନ୍ତପୁର ଗାଁରେ ତାଙ୍କ ଘର । 2008 ମସିହାରୁ ସେ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି ସତ ହେଲେ ଛାଡି ନାହାନ୍ତି ପାଠପଢା । ଚାକିରି କରୁଥିବା ସମୟରେ ଯେମିତି ସକାଳୁ ସେ ସ୍କୁଲ ଯାଇ ପାଠ ପଢାନ୍ତି ଆଉ ଚାରିଟା ବାଜିଲେ ଘରକୁ ଫେରନ୍ତି, ଆଜି ବି ସେଭଳି ଚାଲିଛି ତାଙ୍କର ଜୀବନ।

ସରକାରୀ ଚାକିରିରୁ ଅବସର ନେଇଥିଲେ ବି ପାଠ ପଢାଇବାରୁ ଅବସର ନେଇ ନାହାଁନ୍ତି ସେ । 10 ବର୍ଷ ହେବ ନିଜ ଗାଁ ଅମାନ୍ତପୁର ସ୍କୁଲରେ ପାଠ ପଢାଇ ଆସୁଛନ୍ତି ଦିବାକର । ତାଙ୍କର କହିବ କଥା, ଯେ ପର୍ଯ୍ୟନ୍ତ ତାଙ୍କୁ ଭଗବାନ ପାଠ ପଢାଇବାକୁ ଶକ୍ତି ଦେଇଥିବେ ସେ ପର୍ଯ୍ୟନ୍ତ ସେ ପିଲାଙ୍କୁ ପାଠ ପଢାଉଥିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ବଅଁରପାଳ ବ୍ଲକ ମରାତିରା ହାଇସ୍କୁଲରୁ ଅବସର ନେବା ପରେ ବି ଶିକ୍ଷକତା ପ୍ରତି କମିନି ତାଙ୍କର ନିଷ୍ଠା । ଗାଁକୁ ଆସିବା ପରେ ଗାଁ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ସେ ସ୍କୁଲରେ ପାଠ ପଢାଇବାକୁ ନିବେଦନ କରିଥିଲେ । ଯେଉଁଥିରେ ଶିକ୍ଷୟିତ୍ରୀ ଜଣଙ୍କ ରାଜି ହେବା ପରେ ଆଜିକୁ 10ବର୍ଷ ହେବ ନିଜ ଶିକ୍ଷକତା ବୃତ୍ତିକୁ ପିଲାଙ୍କ ପାଇଁ ଉତ୍ସର୍ଗ କରି ଦେଇଛନ୍ତି ସେ।

ତେବେ ଦିବାକର ନିଜ ସ୍କୁଲର ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ବିଜ୍ଞାନ ଓ ଇତିହାସ ପଢାନ୍ତି । ଯାହାକୁ ବେଶ ପସନ୍ଦ କରନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ । ତାଙ୍କ ପାଠପଢା ଶୈଳୀକୁ ମଧ୍ୟ ଅନ୍ୟ ଶିକ୍ଷକମାନେ ଅନୁସରଣ କରନ୍ତି । ଯେଉଁଠି ମଣିଷ ବିନା ସ୍ଵାର୍ଥରେ କିଛି ବି କରୁନାହିଁ ସେଠାରେ ଏବେ ବି ଆଦର୍ଶ ମଣିଷକୁ ବଞ୍ଚାଇ ରଖିଛନ୍ତି ଦିବାକର । ଯାହାଙ୍କ ନିଃସ୍ଵାର୍ଥପରତା ନିଶ୍ଚିତ ରୂପେ ସମାଜ ପାଇଁ ଏକ ପ୍ରେରଣା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details