ଓଡିଶା

odisha

ETV Bharat / state

ଅଭୟାରଣ୍ୟରୁ ହଟିବ ଅସନବାହାଳି ଗାଁ, ଧଉରାଗୋଠ ହେବ ନୂଆ ଠିକଣା - ଅସନବାହାଳି ଗାଁ

ବଦଳିବାକୁ ଯାଉଛି ଅନୁଗୋଳ ଜିଲ୍ଲା ଅସନବାହାଳି ଗାଁର ଠିକଣା । ଏବେ ସାଧାରଣ ମଣିଷ ଭଳି ବଞ୍ଚିବେ ଗ୍ରାମବାସୀ । ଦୀର୍ଘ ୨୦ବର୍ଷ ପୂର୍ବରୁ ଉଠିଥିବା ଦାବି ଶେଷରେ ପୂରଣ ହେବାକୁ ଯାଉଛି । ଅନେକ ବର୍ଷ ଧରି ହାତୀ, ବାଘ ଭଳି ବନ୍ୟଜନ୍ତୁଙ୍କ ଗହଣରେ ଜୀବନ ବିତାଉଥିଲେ । ଦେଖନ୍ତୁ ଏହି ରିପୋର୍ଟ

Asanabahali village
Asanabahali village

By

Published : Jun 10, 2023, 7:53 PM IST

ଅଭୟାରଣ୍ୟରୁ ହଟିବ ଅସନବାହାଳି ଗାଁ, ଧଉରାଗୋଠ ହେବ ନୂଆ ଠିକଣା

ଅନୁଗୋଳ: ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରାଯାଉଛି । ଏଥିଲାଗି ଗାଁ ସ୍ଥାନାନ୍ତରକୁ ଦିଆଯାଉଛି ଅଧିକ ଗୁରୁତ୍ବ । ଦୀର୍ଘ ବର୍ଷ ହେଲା ଅସନବାହାଳି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଯେଉଁ ଉଦ୍ୟମ ଚାଲିଥିଲା ଶେଷରେ ତାହା ସଫଳ ହୋଇଛି । ଚଳିତ ମାସ ଆସନ୍ତା ୧୮ ତାରିଖଠାରୁ ଗ୍ରାମବାସୀ ପର୍ଯ୍ୟାୟ କ୍ରମେ ଧଉରାଗୋଠଠାରେ ସେମାନଙ୍କ ପାଇଁ କରାଯାଇଥିବା ଅସ୍ଥାୟୀ ଘରକୁ ଆସିବା ନିଷ୍ପତ୍ତି ହୋଇଛି । ଶେଷ ଥର ପାଇଁ ଆଠମଲ୍ଲିକ ବିଧାୟକ ଏବଂ ସାତକୋଶିଆ ଡିଏଫଓ ଅସନବାହାଳି ଗାଁକୁ ଯାଇ ଶେଷ ଶୁଣାଣି କରିଥିଲେ । ପରିବାର ପ୍ରତିପୋଷଣ ନେଇ ଚିନ୍ତିତ ଥିବା ଗ୍ରାମବାସୀଙ୍କ ଲାଗି ନୂଆ ଠିକଣାରେ ସମସ୍ତ ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଆଠମଲ୍ଲିକ ବିଧାୟକ ।

କାହିଁକି ସ୍ଥାନାନ୍ତରିତ ହେବ ଅସନବାହାଳି ଗାଁ ?ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ପମ୍ପସର ରେଞ୍ଜ ଭିତରେ ରହିଛି ଅସନବାହାଳି ଗାଁ । ଶହ ଶହ ବର୍ଷ ଧରି ଏଠାରେ ଲୋକେ ରହି ଆସୁଛନ୍ତି । ଜଙ୍ଗଲ ଭିତରେ ଥିବା ଏହି ଗାଁଟି ବର୍ତ୍ତମାନ ସୁଦ୍ଧା ରାଜସ୍ୱ ଗାଁର ମାନ୍ୟତା ପାଇ ପାରିନାହିଁ । ଯୁଆଡ଼େ ଚାହିଁଲେ କେବଳ ଘଞ୍ଚ ଜଙ୍ଗଲ ଓ ପାହାଡ଼ । ନା ପାନୀୟ ଜଳର ବ୍ୟବସ୍ଥା ରହିଛି ନା ବିଦ୍ୟୁତ ସଂଯୋଗ । ରାସ୍ତାଘାଟ, ଶିକ୍ଷା, କର୍ମସଂସ୍ଥାନ ସେମାନଙ୍କ ପାଇଁ ସ୍ୱପ୍ନ । କୌଣସି ମୌଳିକ ସୁବିଧା ନାହିଁ । ହାତୀ, ବାଘ, ବାର୍ହା ଓ ହରିଣ ଭଳି ବନ୍ୟଜନ୍ତୁଙ୍କ ଗହଣରେ ବିତୁଥିଲା ସେମାନଙ୍କ ଜୀବନ। ତେଣୁ ପ୍ରାୟ ୨୦ବର୍ଷ ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରି ଆସୁଥିଲେ ।

ଶେଷରେ ଗ୍ରାମବାସୀଙ୍କ ଦାବି ପୂରଣ ହେବାକୁ ଯାଉଛି । ଖୁବଶୀଘ୍ର ସେମାନଙ୍କ ଠିକଣା ଓ ପରିଚୟ ବଦଳିଯିବ । ଏଥର ସେମାନେ ମଣିଷ ଭଳି ବଞ୍ଚି ପାରିବେ । ତେଣୁ ଭିଟାମାଟି ଛାଡିବାର ଦୁଃଖ ଅପେକ୍ଷା ଜଙ୍ଗଲ ଭିତରୁ ମୁକ୍ତି ପାଇବାର ଖୁସିରେ ସେମାନେ ବିଭୋର । କିନ୍ତୁ ଚାଷବାସ ସବୁକିଛି ଛାଡିବାକୁ ଥିବାରୁ ସେମାନଙ୍କର ଗୋଟିଏ ମାତ୍ର ଚିନ୍ତା ପରିବାର ପ୍ରତିପୋଷଣ । ତେଣୁ ସେମାନଙ୍କ ପାଇଁ କର୍ମସଂସ୍ଥାନ ଯୋଗାଇବା ବନ ବିଭାଗ ତଥା ପ୍ରଶାସନର ମୁଖ୍ୟ ଦାୟିତ୍ୱ ।

ଗ୍ରାମବାସୀଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ପ୍ରଶାସନର ପ୍ରତିଶୃତି:- ଚଳିତ ମାସ ୧୮ତାରିଖରୁ ଗ୍ରାମବାସୀ ପର୍ଯ୍ୟାୟ କ୍ରମେ ଗାଁ ଛାଡିବାକୁ ସ୍ଥିର କରିଛନ୍ତି । ସେମାନଙ୍କ ପାଇଁ ଧଉରାଗୋଠ ଗାଁ ନିକଟରେ ଅସ୍ଥାୟୀ ଘର ପ୍ରସ୍ତୁତ କରାଯାଇଛି । କିଛି ମାସ ୬୬ଟି ପରିବାର ଏହି ଅସ୍ଥାୟୀ ଘରେ ରହିବେ । ସେମାନଙ୍କ ପାଇଁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ସବୁ ବ୍ୟବସ୍ଥା କରାଯାଇଛି । ପରବର୍ତ୍ତୀ ସମୟରେ ସେମାନଙ୍କୁ ଦିଆଯାଇଥିବା ଜମିରେ ସରକାରୀ ଆବାସ ଯୋଜନାରେ ଗୃହ ନିର୍ମାଣ କରାଯିବାର ନିଷ୍ପତ୍ତି ହୋଇଛି । ଗତକାଲି ଅସନବାହାଳି ଗାଁରେ ଶେଷ ଥର ପାଇଁ ଅଭିଯୋଗ ଶୁଣାଣି ହୋଇଥିଲା । ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ଗାଁକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ ।

ଏହା ବି ପଢନ୍ତୁ- ପୁଣି ସାତକୋଶିଆକୁ ଆସିବ ମହାବଳ ବାଘ, ଚାଲିଛି କ୍ଷେତ୍ର ପ୍ରସ୍ତୁତି

ଗ୍ରାମବାସୀ ନୂଆ କରି ଏକ ନୂଆ ଜାଗାକୁ ଯାଉଥିବାରୁ ସେମାନଙ୍କୁ କିଛି ଦିନ ରନ୍ଧା ଖାଦ୍ୟ ଯୋଗାଇବା, ସେମାନଙ୍କ ଜିନିଷପତ୍ରକୁ ଗାଁର ଅସ୍ଥାୟୀ ଘର ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ପରିବହନ କରିବା ସହ ଜିନିଷର ସୁରକ୍ଷା ଦେବା, ଜୀବନ ଜୀବିକାର ବ୍ୟବସ୍ଥା କରିବା, ବ୍ୟାଙ୍କରେ ଜମା ହୋଇଥିବା କ୍ଷତିପୂରଣ ରାଶି କିଭଳି ସୁବିଧାରେ ସେମାନେ ଉଠାଇ ପାରିବେ ଆଦି କଥା କହିଥିଲେ । ଡିଏଫଓ ଏବଂ ବିଧାୟକ ଏ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ । ଏହାପରେ ଗ୍ରାମବାସୀଙ୍କ ସହ ବିଧାୟକ ଓ ଡିଏଫଓ ଧଉରାଗୋଠ ଯାଇ ସେମାନଙ୍କ ପାଇଁ ତିଆରି କରାଯାଇଥିବା ଅସ୍ଥାୟୀ ଘର ଓ ସମସ୍ତ ସୁବିଧା ବୁଲି ଦେଖିଥିଲେ । ଆଗକୁ କିଭଳି ଲୋକଙ୍କୁ ଆହୁରି ସୁବିଧା ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିଥିଲେ ।


ଏହା ବି ପଢନ୍ତୁ-ଜଙ୍ଗଲ ଗାଁ ଅଶନବାହାଳି ଦେଖିବ ନୂଆ ଦୁନିଆ, ବଦଳିବ ଗ୍ରାମ ଠିକଣା

ସାତକୋଶିଆରୁ ପର୍ଯ୍ୟାୟ କ୍ରମେ ସ୍ଥାନାନ୍ତର ହେଉଛି ଗାଁ । ପୂର୍ବରୁ ରାଇଗୋଡା ଓ କଟରଙ୍ଗ ଗାଁ ସ୍ଥାନାନ୍ତର ହୋଇସାରିଛି । ଏବେ ଅସନବାହାଳି ଓ ଟୁଲୁକା ଗାଁ ପାଇଁ ଧଉରାଗୋଠ ଠାରେ ୩୬ହେକ୍ଟର ଜମି ପ୍ରସ୍ତୁତ କରାଯାଇଛି । ସମସ୍ତ ପରିବାର ପାଇଁ ଜାଗା ଚିହ୍ନଟ ସରିଛି । ଅସ୍ଥାୟୀ ଘର ମଧ୍ୟ ତିଆରି ହୋଇଛି । କିଛି ଦିନ ପରେ ଏହି ଦୁଇ ଗାଁର ନୂଆ ଠିକଣା ହେବ ଧଉରାଗୋଠ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details