ଓଡିଶା

odisha

By

Published : Jul 4, 2021, 1:35 PM IST

ETV Bharat / state

ଢିପ ଜମିକୁ ଜଳସେଚନ ଚିନ୍ତା, ପ୍ରସ୍ତୁତିରେ ବ୍ୟସ୍ତ ବିଭାଗ

ଖରିଫ ଫସଲ ପାଇଁ ଚାଷୀମାନେ ଅଣ୍ଟା ଭିଡିଲେଣି । ଏନେଇ ଜଳସେଚନ ବିଭାଗ ମଧ୍ୟ ବେଶ ତତ୍ପରତା ଦେଖାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି କେନାଲ ମରାମତି କାମ । ଚାଷ ଜମିରେ ପାଣି ଯୋଗାଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଜଳସେଚନ ବିଭାଗ । ଅଧିକ ପଢନ୍ତୁ...

କେନାଲ ସଫା କାର୍ଯ୍ୟରେ ଲାଗି ପଡିଛି ଜଳସେଚନ ବିଭାଗ
କେନାଲ ସଫା କାର୍ଯ୍ୟରେ ଲାଗି ପଡିଛି ଜଳସେଚନ ବିଭାଗ

ଅନୁଗୋଳ: ଆସିଗଲାଣି ବର୍ଷ। ଋତୁ । ଫୁଟିଲାଣି ଚାଷୀ ମୁହଁରେ ହସ । ଖରିଫ ଫସଲ ପାଇଁ ଚାଷୀମାନେ ଅଣ୍ଟା ଭିଡିଲେଣି । ଏନେଇ ଜଳସେଚନ ବିଭାଗ ମଧ୍ୟ ବେଶ ତତ୍ପରତା ଦେଖାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଯାଇଛି କେନାଲ ମରାମତି କାମ । ଚାଷ ଜମିରେ ପାଣି ଯୋଗାଇବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଜଳସେଚନ ବିଭାଗ ।

କେନାଲ ସଫା କାର୍ଯ୍ୟରେ ଲାଗି ପଡିଛି ଜଳସେଚନ ବିଭାଗ

ଚାଷୀମାନେ ଚାଷ ଜମିକୁ କିପରୁ ସୁବିଧାରେ ପାଣି ପାଇବେ ଓ ଭଲ ଫସଲ ହେବ ଏନେଇ କେନାଲ ସଫା କାର୍ଯ୍ୟ ଆରମ୍ଭ ହୋଇଛି । ଅନେକ ସ୍ଥାନରେ କେନାଲ ପୋତି ହୋଇପଡିଛି । କେଉଁଠି କେନାଲରୁ ପୋତି ହୋଇ ଯାଇଥିବା ମାଟି ଉଠା ଯାଉଛି ତ ଆଉ କେଉଁଠି ମାଡି ଯାଇଥିବା ଲତା ବୁଦା ସଫା କରାଯାଉଛି । ବର୍ଷା ଦିନ ହୋଇଥିଲେ ବି ଢ଼ିପ ଜମି ଗୁଡିକରେ ଚାଷ କରିବା ପାଇଁ ଆବଶ୍ୟକ ଜଳ ସେଚନର ସୁବିଧା ପାଇଁ ଅନୁଗୋଳ ଜିଲ୍ଲାରେ ଡେରାଜଙ୍ଗ ଜଳ ସେଚନ ପ୍ରକଳ୍ପ ଚାଷୀଙ୍କ ପାଇଁ ମୁଖ୍ୟ ଭରସା । ଏହି ପ୍ରକଳ୍ପ ଉପରେ ୧୦୦ରୁ ଅଧିକ ଗାଁର ୧୦ ହଜାରରୁ ଅଧିକ ଚାଷୀ ନିର୍ଭର କରନ୍ତି । ଚାଷ ପାଇଁ ଚାଷୀମାନେ ଯେତିକି ତତ୍ପର ଜଳ ସେଚନ ବିଭାଗ ମଧ୍ୟ ସେତିକି ତତ୍ପର ହୋଇପଡିଛି । କେମିତି ଖୁବ ଶୀଘ୍ର କେନାଲ ମରାମତି କାମ ଶେଷ ହେବ ଏବଂ ଚାଷୀଙ୍କ କ୍ଷେତରେ ପାଣି ମାଡିବ ସେଥିପାଇଁ ଜୋରସୋରରେ କାମ ଚାଲିଛି ।

ମୁଖ୍ୟ ଯନ୍ତ୍ରୀଙ୍କଠାରୁ କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚାଲିଛି କେନାଲ ସଫେଇ କାମ । ଆସନ୍ତା ଜୁଲାଇ ମାସ ୧୦ତାରିଖ ସୁଦ୍ଧା କେନାଲରେ ପାଣି ଛାଡିବାକୁ ଲକ୍ଷ ରଖିଛି ଜଳ ସେଚନ ବିଭାଗ । ଶ୍ରମିକମାନେ ମଧ୍ୟ ପ୍ରାୟ ୨ମାସରୁ ଅଧିକ ହେଲାଣି ଦିନ ରାତି ଏକ କରି ଲାଗି ପଡିଛନ୍ତି କାମରେ । ବିଭାଗୀୟ ରେକର୍ଡ ଅନୁସାରେ ଡେରାଜଙ୍ଗ ଜଳ ସେଚନ ପ୍ରକଳ୍ପ ଯୋଗୁଁ ଖରିଫ ଋତୁରେ ୭୩୯୨ ହେକ୍ଟର ଏବଂ ରବି ଋତୁରେ ୨୩୭୩ ହେକ୍ଟର ଜମିରେ ଜଳ ସେଚନ ହୋଇଥାଏ । ଡେରାଜଙ୍ଗ ଜଳ ସେଚନ ପ୍ରକଳ୍ପରୁ ମୁଖ୍ୟ କେନାଲ ପ୍ରାୟ ୧୪ କିମି ସମେତ ଶାଖା ପ୍ରଶାଖା କେନାଲ ମୋଟ ୧୩୬ କିମି ଦୈର୍ଘ୍ୟ ପର୍ଯ୍ୟନ୍ତ ଲମ୍ବିଛି । ଏହି କେନାଲଗୁଡିକର ତଦାରଖ ପାଇଁ ୧୭ଟି ପାଣି ପଞ୍ଚାୟତ ଗଠନ କରାଯାଇଛି । ବିଭାଗ ତରଫରୁ କେନାଲ ଗୁଡିକର ମରାମତି ପାଇଁ ଭାଗ ଭାଗ କରି ୧୫ଟି ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୧୫ ରୁ ୧୬ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ଆବଶ୍ୟକ ଅନୁସାରେ ଆହୁରି ଅର୍ଥ ବ୍ୟୟ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ତେଣୁ ପ୍ରାୟ ୨ମାସ ହେଲା ସବୁ କେନାଲ ଗୁଡିକ ମରାମତି ଓ ପରିଷ୍କାର କରାଯାଉଛି ।

କୋରୋନା କାଳରେ ଶତାଧିକ ଶ୍ରମିକ କେନାଲ ସଫେଇ କାମରେ ଲାଗି ବେଶ ଦୁଇପଇସା ରୋଜଗାର କରୁଛନ୍ତି । ଅନ୍ୟ ପକ୍ଷରେ ହଜାର ହଜାର ଚାଷୀ ଚାତକ ପରି ଚାହିଁ ବସିଛନ୍ତି କେବେ ସେମାନଙ୍କ କ୍ଷେତରେ ପାଣି ମାଡିବ ଓ ସେମାନେ ଚାଷ କାମ ଆରମ୍ଭ କରିବେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details