ଅନୁଗୋଳ: ଲଗାଣ ବର୍ଷାର ପ୍ରଭାବ ଏବେବି ଜାରି ରହିଛି। ଏକର ଏକର ଜମିରେ ପାଣି ଜମି ଥିବାରୁ ଫୁଲକୋବି, ବାଇଗଣ, କଲରା ଓ ଜହ୍ନି ଆଦି ପନିପରିବା ପଚି ନଷ୍ଟ ହୋଇ ଗଲାଣି। ଗଛ ସବୁ ମାରିବାକୁ ବସିଲାଣି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଅନୁଗୋଳ ଜିଲାର ଜଙ୍ଗଲ ଅଧ୍ୟୁସିତ ଚନ୍ଦନପୁର ଗାଁରେ। ଏହି ଗାଁର ଗୋଟିଏ ପଟେ ସାତକୋଶିଆ ଅଭୟାରଣ୍ୟ ଏବଂ ଅନ୍ୟପଟେ ଅନୁଗୋଳ ବନଖଣ୍ଡର ଘଞ୍ଚ ଜଙ୍ଗଲ ଓ ପାହାଡ଼। ଯେଉଁଠି ପ୍ରାୟ ୨୦୦ରୁ ଅଧିକ ପରିବାର ବସବାସ କରନ୍ତି। ଆଉ ଏଠାରେ ସମସ୍ତଙ୍କର ମୁଖ୍ୟ ଜୀବିକା କେବଳ ଚାଷ।
ଅମଳ ବେଳେ ପଚିଗଲା ଏକର ଏକର ପରିବା, ଚିନ୍ତାରେ ଚାଷୀ ଚଳିତ ବର୍ଷ ମରୁଡି ଯୋଗୁଁ ଆଦୌ ଧାନ ଚାଷ ହୋଇ ନାହିଁ। ତେଣୁ ଚାଷୀ ମାନେ ଏହାକୁ ଭରଣା କରିବା ପାଇଁ ଫୁଲକୋବି, ବାଇଗଣ, ଜହ୍ନି, କଲରା ଓ ଝୁଡଙ୍ଗ ଆଦି ପନିପରିବା ଚାଷ କରିଥିଲେ। ଆଶା ଥିଲା ଭଲ ଦୁଇ ପଇସା ରୋଜଗାର ହେବ। ହେଲେ ସେମାନଙ୍କର ଆଶା ବର୍ଷାରେ ମିଳେଇ ଗଲା। ଉଜୁଡି ଗଲା ଜୀବିକା। ଲଗାଣ ବର୍ଷା ଯୋଗୁଁ ଗଛ ସବୁ ମରିଗଲା। ଯାହା ଫଳ ହୋଇଥିଲା ସେସବୁ ଗଛରେ ହିଁ ପଚିଗଲା। ଥରୁଟିଏ ହେଲେ କୌଣସି ପରିବା ବିକ୍ରି ହୋଇ ପାରିଲା ନାହିଁ। ବିହନ, ସାର ଓ ଔଷଧରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ତାହା ମଧ୍ୟ ଉଠିଲା ନାହିଁ। ଋଣ କରି ଚାଷ କରିଥିବା ଚାଷୀ ଏ ବେ କିଭଳି ଋଣ ପରିଶୋଧ କରିବେ ସେନେଇ ଚିନ୍ତାରେ।
ପ୍ରଥମେ ଯାହା ପନିପରିବା ଲଗାଇ ଥିଲେ ତାହା ଲଗାଣ ବର୍ଷାରେ ଧୋଇ ହୋଇଗଲା। ବର୍ଷା ଛାଡିବା ପରେ ପୁଣି ଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରି ଚାରା ଲଗାଇଲେ। ହେଲେ ତୁହାକୁ ତୁହା ବର୍ଷା ତାହା ମଧ୍ୟ କରାଇ ଦେଲା ନାହିଁ। ଯେତେବେଳେ ପରିବା ଅମଳ ସମୟ ଆସିଲା ବର୍ଷା ଦାଉ ସାଧିଲା। ଏବେ କିଛି ଚାଷୀ ପୁଣି ଥରେ ଚାରା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଆଗକୁ ଲଗାଣ ବର୍ଷା ସମ୍ଭାବନା ଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି। ଗାଁର ଲୋକଙ୍କର ଅନ୍ୟ କୌଣସି ବିକଳ୍ପ ପନ୍ଥା ନାହିଁ।
ଏପଟେ ହାତୀ, ବାରହା ଓ ହରିଣ ପ୍ରତିବର୍ଷ ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଥିଲେ ମଧ୍ୟ ଲୋକେ ସେମାନଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ବିଭିନ୍ନ ଉପାୟ କରି ଚାଷ କରୁଛନ୍ତି। ହେଲେ ଚଳିତ ବର୍ଷ ପ୍ରବଳ ବର୍ଷା ସେମାନଙ୍କ ମେରୁଦଣ୍ଡ ବଙ୍କା କରି ଦେଇଛି। ଅନ୍ୟ ପକ୍ଷରେ ତୁହାକୁ ତୁହା ବର୍ଷା ହେଉ ଥିବାରୁ ପନିପରିବା ଫସଲ କ୍ଷୟକ୍ଷତି ଆକଳନ ଏ ପର୍ଯ୍ୟନ୍ତ କରା ଯାଇ ପାରି ନାହିଁ ବୋଲି ଉଦ୍ୟାନ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ଦାସ ସୂଚନା ଦେଇଛନ୍ତି। ତେଣୁ ସରକାରୀ ସହାୟତା ନେଇ କୌଣସି ସ୍ପଷ୍ଟ ହୋଇ ନାହିଁ। ପ୍ରଥମେ ବର୍ଷା ଅଭାବରୁ ଧାନ ଫସଲ ଗଲା। ଏବେ ପ୍ରବଳ ବର୍ଷାରେ ପନିପରିବା ଫସଲ ଧୋଇ ହୋଇ ଗଲା। ଏଭଳି ସ୍ଥିତିରେ ଚନ୍ଦନପୁର ଗାଁର ଚାଷୀ କେମିତି ବଞ୍ଚିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ